Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାତି ୮ଟା ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଗୁଲାବ’ : ପ୍ରବଳ ବର୍ଷା ସହ ପବନ ହେବାନେଇ ୭ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି

26/09/2021 at 4:32 PM

ଭୁବନେଶ୍ବର ୨୬/୦୯ : ମାଡିଆସୁଛି ବାତ୍ୟା ‘ଗୁଲାବ’ । ରାତି ୮ଟା ରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ମଧ୍ୟ ରାତ୍ରି ସୁଦ୍ଧା ଶେଷ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ପୂର୍ବରୁ ଜାରି କରାଯାଇଛି । ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷାନେଇ ରାଜ୍ୟର ୭ ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରିକରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନାଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  

ସେହିଭଳି ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ କଳାହାଣ୍ଡି । ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ୧୦ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାନେଇ ଓ୍ବେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୦ ଜିଲ୍ଲା ହେଉଛି- ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର, କଟକ, ବୈାଦ୍ଧ, ସୋନପୁର, ନୂଆପଡା, ବଲାଙ୍ଗିର ।

ତେବେ ଆସନ୍ତାକାଲି ବାତ୍ୟା ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ।

ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଥିଲେ ।

ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ନ ସୁଦ୍ଧା ଗୁଲାବ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟା ୟାସ୍‌ ପରବର୍ତ୍ତୀ ସମୟରେ ଯେପରି ପ୍ରଭାବିତ ଅଞ୍ଚଳ ମାନଙ୍କରେ କୋଭିଡ ସଂଖ୍ୟା ବୃଦ୍ଧି ଘଟିଥିଲା । ତାକୁ ଦୃଷ୍ଟିରେ ରଖି ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରାଯିବା ତଥା ମାସ୍କ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହିତ ଆସ୍କା, ଗୁଡାରୀ, ଗୁଣପୁର, କଡିନଗର ଏବଂ ପୁରୁଷୋତ୍ତମପୁର ତଥା ଅନ୍ୟ ବନ୍ୟା ପ୍ରବଣ ଗାଁ ମାନଙ୍କରେ ଥିବା ବନ୍ଧବାଡ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ବାତ୍ୟା ଆଶ୍ରୟସ୍ଥଳ ଗୁଡିକରେ ଭଲ ପିଇବା ପାଣି ସମେତ ସବୁପ୍ରକାର ମୌଳିକ ବ୍ୟବସ୍ଥା ଗ୍ରହଣ କରାଯିବା ସଂଗେ ସଂଗେ ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ବାତ୍ୟା ପରେ ପରେ ରାସ୍ତା ସଫା କରିବା, ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମାଇକ ଯୋଗେ ଲୋକଙ୍କୁ ସଚେତନ କରିବା ସହ ସ୍ଥାନାନ୍ତର ଆଶ୍ରୟସ୍ଥଳ ପରିଚାଳନା ତଥା ପୁନରୁଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନ,ମିଶନ ଶକ୍ତି ଗୋଷ୍ଠୀ, NGO. ଓ ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଭାବିତ ସମସ୍ତ ୧୧ ଗୋଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ଏବଂ କୋଭିଡ ନିୟମ ପାଳନ ଆଦି ବିଷୟରେ ପୂର୍ଣ୍ଣ ସହଯୋଗ କରବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟର ଜିଲ୍ଲାପାଳ ମାନେ ଜିଲ୍ଲାର ପରିସ୍ଥିତି ଏବଂ ବାତ୍ୟାର ମୁକାବିଲା ପାଇଁ ନିଆଯାଇଥିବା ଆଗୁଆ ପଦକ୍ଷେପ ଓ ସେମାନଙ୍କର ଆବଶ୍ୟକତା ସଂପର୍କରେ ବୈଠକରେ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳ ମାନେ ବୈଠରେ ଭାଗ ନେଇଥିଲେ ।

   Related Posts