ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବାତ୍ୟା 'ଗୁଲାବ': ସବୁଠାରୁ ଅଧିକ ପ୍ରଭାବିତ ହେବେ ଓଡିଶା ଓ ଆନ୍ଧ୍ର

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯ : କିଛି ମାସ ପୂର୍ବରୁ ହୋଇଥିବା ବନ୍ୟା ଦେଶର ତଟବର୍ତ୍ତୀ ଅଞ୍ଚଳକୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ବର୍ତ୍ତମାନ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି। ଏହି ବାତ୍ୟାର ନାଁ ଗୁଲାବ। ପାକିସ୍ତାନ ଏହାର ନାମକରଣ କରିଛି। ପୂର୍ବ-ମଧ୍ୟ ବଙ୍ଗୋପସାଗରରୁ ବାତ୍ୟା ଉତ୍ତର ପଶ୍ଚିମ ଆଡକୁ ଗତି କରୁଛି। ବର୍ତ୍ତମାନ ଏହା ଘୁର୍ଣ୍ଣିବଳୟର ରୂପ ନେଇଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ଶନିବାର ରାତିରେ ଘୁର୍ଣ୍ଣିଝଡର ରୂପ ନେବ। ଏହା ଆନ୍ଧ୍ର ପ୍ରଦେଶ ଓ ଓଡିଶାରେ ଧକ୍କା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶରେ ଘୁର୍ଣ୍ଣିବାତ୍ୟାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଓଡିଶା ଗୋପାଳପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ। ଆନ୍ଧ୍ର ପ୍ରଦେଶ କଳିଙ୍ଗପଟନମରେ ଘୁର୍ଣ୍ଣିବାତ୍ୟା ଲ୍ୟାଣ୍ଡଫଲ କରିପାରେ।

ଘୁର୍ଣ୍ଣିବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ଉପରେ ମଧ୍ୟ ପଡିପାରେ। ଏଠାରେ ଶନିବାର ଦିନ ବର୍ଷା ହେବାର ସମ୍ଭାବନା ରହିଛି। ପୂର୍ବ ମେଦିନୀପୁର ଓ ଦକ୍ଷିଣ ୨୪ ପ୍ରଗଣାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହିତ ବଙ୍ଗୋପସାଗରରେ ଆଉ ଏକ ଡିପ୍ରେସନ ସୃଷ୍ଟି ହେବାର ଆଶଙ୍କା ରହିଛି ଯାହା ବଙ୍ଗଳା ଏବଂ ବାଙ୍ଗଲାଦେଶ ସଂଲଗ୍ନ ଅଞ୍ଚଳ ଉପରେ ପ୍ରଭାବ ପକାଇବ। ଏହି କାରଣରୁ ମଙ୍ଗଳବାର ଦିନ ବର୍ଷାର ତୀବ୍ରତା ବୃଦ୍ଧି ପାଇବ। କୋଲକାତା ସମେତ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.