ବାତ୍ୟା ଖବର: ଆମେରିକାର ଲୁସିଆନାରେ ଲ୍ୟାଣ୍ଡଫଲ୍ କଲା ‘କ୍ରୀଷ୍ଟୋବଲ୍', ବଙ୍ଗୋପସାଗରରେ ଦାନା ବାନ୍ଧୁଛି 'ଗତି', ୬ ରାଜ୍ୟରେ ହେବ ପ୍ରବଳ ବର୍ଷା

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ, ୦୮|୦୬: ଝଡବାତ୍ୟା କ୍ରୀଷ୍ଟୋବଲ ଆମେରିକାର ଦକ୍ଷିଣ ଲୁସିଆନାରେ ସୋମବାର ଲ୍ୟାଣ୍ଡଫଲ୍ କରିଛି । ଏହାର ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଏନେଇ ୟୁଏସ ଜାତୀୟ ହରିକେନ୍ ସେଣ୍ଟର ବା ଏନଏଚସି ସୂଚନା ଦେଇଛି ।

ଏନଏଚସିର ସୂଚନାନୁସାରେ, ଲ୍ୟାଣ୍ଡଫଲ୍ କରିବା ପରେ ପବନର ବେଗ ଘଣ୍ଟା ପ୍ରତି ୮୦ ରୁ ୧୦୦ କିମି ରହିଥିଲା । ଦେଶର ଉପକୂଳରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିହା ସହ ବ୍ୟାପକ କ୍ଷତି ଘଟାଇଛି । ମିସିସିପି ଦ୍ୱୀପରେ ଏହା ମାଡ ହେବା ପରେ ଏଠାରେ ପବନର ବେଗ ଅଧିକ ରହିଥିଲା । ଘଣ୍ଟାପ୍ରତି ୧୨୦ କିମି ବେଗରେ ପବନ ବହିଥିଲା । କରୋନା ଆତଙ୍କ ମଧ୍ୟରେ ଏହି ବାତ୍ୟା ଆମେରିକା ଉପରେ ଦାଉ ସାଧିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍ଘୀୟ ବ୍ୟବସ୍ଥାରେ ଏହାର ମୁକାବିଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଏହାସହ ଏହାକୁ ଜାତୀୟ ବିପତ୍ତି ଘୋଷଣା କରିଛନ୍ତି ।

ଏତତ୍ ବ୍ୟତୀତ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହାର ପ୍ରଭାବରେ ଓଡିଶା ସମେତ ୬ଟି ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଆଇଏମଡିର ସୂଚନାନୁସାରେ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଗୁଜୁରାଟରେ ବର୍ଷା ହୋଇପାରେ । ଜୁନ ୯ରୁ ୧୧ ତାରିଖ ମଧ୍ୟରେ ଏହିସବୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ପୂର୍ବରୁ ଆଇଏମଡି ଶୁକ୍ରବାର ଲଘୁଚାପ ସମ୍ପର୍କରେ ପୂର୍ବାନୁମାନ କରିବା ସହ ଏହା ବାତ୍ୟାର ରୂପ ନେଲେ ନାମ ଗତି ରହିବ ବୋଲି କହିଥିଲା । ବାତ୍ୟା ହେବାର ସମ୍ଭାବନା ୧ରୁ ୨୫ ପ୍ରତିଶତ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.