ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା: ଆଇଏମଡି ନାମ ଦେଲା ‘ଗତି’, ୮ ତାରିଖରେ ଘନୀଭୂତ ହେବ ଲଘୁଚାପ ବଳୟ

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ, ୦୬|୦୬:  ଆସନ୍ତା ସପ୍ତାହରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଏହି ଲଘୁଚାପ ବଳୟଟି ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା କୁହାଯାଉଛି । ଏହା ବାତ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ତେବେ ସୃଷ୍ଟି ହୋଇଥିବା ସମସ୍ତ ଲଘୁଚାପ ବାତ୍ୟାର ରୂପ ନେଇନପାରେ ।

ଭାରତୀୟ ପାଣିପାଗ ବିଭାଗର କହିବାନୁସାରେ, ଏହି ଲଘୁଚାପଟି ଜୁନ ୮ରେ ବଙ୍ଗୋପସାଗରରେ  ଘନୀଭୂତ ହେବ । ଏହାର ପ୍ରଭାବରେ ଓଡିଶାରେ ମୌସୁମୀ ଗତିଶୀଳ ହେବ । ଏପରିକି ପୂର୍ବ ଭାରତରେ ମଧ୍ୟ ଏହାର ପ୍ରଭାବରେ ଆସନ୍ତା ସପ୍ତାହରେ ବର୍ଷା ଲାଗି ରହିବ ।

ଆଇଏମଡିର ବୁଲେଟିନ୍ ଅନୁସାରେ, ଏହି ଲଘୁଚାପଟି ବାତ୍ୟାର ରୂପ ନେବାର ସମ୍ଭାବନା ୧ରୁ ୨୫ ପ୍ରତିଶତ ରହିଛି । ଏହା ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାମ ଗତି ରହିବ ବୋଲି ସୂଚନା ମିଳିଛି । ଏନେଇ ମଧ୍ୟ ସୋଆ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇ ସାରିଛି ।

ପୂର୍ବରୁ ସୋଆ ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା ଯେ, ଉତରପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପସାଗରରେ ଜୁନ୍ ୮ ତାରିଖରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଲଘୁଚାପ କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଥିବା ଆକଳନ କରିଥିଲା ।

ଚଳିତ ବର୍ଷ ଉଭୟ ବଙ୍ଗୋପ ଓ ଆରଗ ସାଗରରେ ଦୁଇଟି ବାତ୍ୟା ସୃଷ୍ଟି ହୋଇସାରିଛି । ପ୍ରଥମ ବାତ୍ୟା ଅମ୍ଫାନ ମେ ୨୦ରେ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିବା ସହ ଓଡିଶାର କିଛି ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଥିଲା । ଏହା ପଶ୍ଚିମବଙ୍ଗରେ ଚାଣ୍ଡବ ରଚିଥିଲା । ସେହିପରି ଆରବ ସାଗରରେ ସୃଷ୍ଟ ବାତ୍ୟା ନିସର୍ଗ ମୁମ୍ବାଇ ଉପକୂଲରେ ଜୁନ ୩ରେ ଲ୍ୟାଣ୍ଡଫଲ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.