ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଗାଜା’ ଆଜି ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ ; ଦକ୍ଷିଣ ଓଡିଶାର ମଧ୍ୟ ବର୍ଷା ସମ୍ଭାବନା
15/11/2018 at 11:42 AM

ଚେନ୍ନାଇ ୧୫|୧୧: ବଙ୍ଗୋପସାଗର ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୩୮୦ କିଲୋମିଟର ଦୂରରେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଏବଂ ପାମ୍ବନ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ।ଏହି ସମୟରେ ପବନର ଗତି ଘଣ୍ଟାକୁ ୧୦୦କିମି ରହିବ । ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର ବହୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ ଆଜି ବନ୍ଦ ରଖାଯାଇଛି । ଗତକାଲିଠାରୁ ହିଁ ତାମିଲନାଡୁରେ ବର୍ଷା ଆରମ୍ଭ ହୋଇଯାଇଛି । ପରିସ୍ଥିତିର ମୁକାବିଲା ପାଇଁ ୧୧ଟି ଏନଡିଆରଏଫ ଟିମ୍ କୁ ମୁତୟନ କରାଯାଇଛି । ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ । ଏହାପରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ତାମିଲନାଡୁର ପାମବନ ଓ କୁଡ୍ଡଲୁରୁ ମଧ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ଅତିକ୍ରମ କରିବ। ‘ଗାଜା’ ଅତିକ୍ରମ କରିବା ବେଳେ ଉଭୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପୁଡୁଚେରୀରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।