Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଫନି’ ଆଁରେ ୪୦ଜୀବନ, ପ୍ରଶାସନ କହୁଛି ୭

5/05/2019 at 12:35 PM

ଭୁବନେଶ୍ବର ୫|୫: ମହାବାତ୍ୟା ‘ଫନି’ ଉଜାଡି ଦେଲା ସବୁକିଛି । ଧ୍ବସ୍ତବିଧ୍ବସ୍ତ କରିପକାଇଛି ପୁରୀକୁ । ରାଜଧାନୀ ଭୁବନେଶ୍ବରକୁ କରିପକାଇଛି ଛାରଖାର୍ । ଆଉ ଏହି ମହାବାତ୍ୟା ଘରଦ୍ବାର, ଇଲେକଟ୍ରି ଖୁଣ୍ଟ, ମୋବାଇଲ ଟାୱାର ସବୁ କିଛି ଉଜାଡି ଦେଇଥିବା ବେଳେ ନେଇଛି ୪୦ ଜଣଙ୍କର ଜୀବନ । କେବଳ ପୁରୀରେ ପ୍ରାଣ ହରାଇଛନ୍ତି ୨୪ ଜଣ ।

ମହାବାତ୍ୟାର ମହାପ୍ରଳୟ । ଧ୍ବଂସଲୀଳା ରଚିଲା ‘ଫନି’ । ଘରଦ୍ବାର, ବଡ ବଡ ଗଛ, ଇଲେକଟ୍ରି ଖୁଣ୍ଟ, ମୋବାଇଲ ଟାୱାର ସବୁକିଛି ମାଟିରେ ମିଶିଯାଇଛି । ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ମଚିଯାଇଛି ହାହାକାର । ଏହି ମହାପ୍ରଳୟ ଭିତରେ କେତେ ଜୀବନ ଯାଇଛି ତାହା ଏବେବି ସଂପୂର୍ଣ୍ଣ ତଥ୍ୟ ମିଳିନାହିଁ । ତେବେ ଯାହା ଜଣାପଡିଛି ଏ ପର୍ଯ୍ୟନ୍ତ ମହାବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରୁ କେବଳ ପୁରୀରେ ପ୍ରାଣ ହରାଇଛନ୍ତି ୨୪ଜଣ । ଶୁକ୍ରବାର ଦିନ କାନ୍ଥ ପଡି ୯ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟା ସମୟରେ ବାହାରକୁ ଯାଇ ୭ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟାନ୍ୟ କାରଣ୬ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ସୁଦ୍ଧା ଅନ୍ୟ ୫ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଥିବାବେଳେ ସରକାର ଏହାକୁ ଅସ୍ବୀକାର କରିଛନ୍ତି ।

ଗତକାଲି ପୁରୀ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୩ଶହ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେଥିରେ ୬୦ରୁ ଅଧିକ ଶିଶୁ ଥିବା ଖବର ମିଳିଛି ।

ମହାବାତ୍ୟା ‘ଫନି’ ପ୍ରଳୟ ରଚୁଥିବା ବେଳେ ପୁରୀ ଜିଲ୍ଲା ସତ୍ୟବାଦୀରେ ଗଛ ପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ସେହିପରି ରାଜ୍ୟର କେଉଁଠି କାନ୍ଥ ପଡି ତ କେଉଁଠି ଛାତ ପଡି, ପୁଣି କେଉଁଠି ଗଛ ପଡି ଯାଇଛି ଲୋକଙ୍କ ଜୀବନ । ଏ ସଂପର୍କିତ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସୁଛି । ଆହୁରି ଅନେକ ହୁଏତ ମୃତାହତ ହୋଇଥିବେ । କିନ୍ତୁ ଏ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଆସିବାକୁ ଆହୁରି କିଛି ସମୟ ଲାଗିବ ।

   Related Posts