ସୋଆ କମ୍ୟୁନିଟି ରେଡିଓରେ ‘ଫୋନି’ ବାତ୍ୟାର ସିଧା ପ୍ରସାରଣ

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର ୧୦|୫: ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ଫୋନି ଶୁକ୍ରବାର ଦିନ ଭୟାନକ ରୂପ ନେଇ ଭୁବନେଶ୍ବରରେ ପ୍ରବେଶ କରିବା ସମୟରେ ଏକ ଛୋଟିଆ ଟିମ୍ ଲୋକମାନଙ୍କୁ ଘୂର୍ଣ୍ଣିବାତ୍ୟାର ଧାରା ବିବରଣୀ ପ୍ରଦାନ କରିବା ସହ ପ୍ରତ୍ୟେକ ମୁହୂର୍ତ୍ତକୁ କିପରି ସାମ୍ନା କରିବା ଆବଶ୍ୟକ ଓ ସେମାନେ କିପରି ସୁରକ୍ଷିତ ରହିବେ ସେ ବିଷୟରେ ଅବଗତ କରି ଚାଲିଥିଲେ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ ସୋଆ କମ୍ୟୁନିଟି ରେଡିଓ ‘ଭଏସ୍ ଅଫ୍ ସୋଆ କମ୍ୟୁନିଟି ୯୦.୪’ ରେ ଏହି ୨୪ ଘଣ୍ଟିଆ କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଗୁରୁବାର ସନ୍ଧ୍ୟା ୬ଟାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଗୁରୁବାର ସନ୍ଧ୍ୟାରୁ ଲୋକମାନଙ୍କୁ ପୁରୀ ଉପକୂଳକୁ ମାଡି ଆସୁଥିବା ଏହି ବାତ୍ୟା ବିଷୟରେ ଜଣାଇବା ସହ ପ୍ରତ୍ୟେକ ମୁହୂର୍ତ୍ତର ସମସ୍ତ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ପରିସ୍ଥିତିକୁ ଲୋକେ କିପରି ମୁକାବିଲା କରି ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏହା କମ୍ୟୁନିଟି ରେଡିଓର ପ୍ରୟାସ ବୋଲି ଆର୍ଜେ ସବନମ୍ କହିଛନ୍ତି ।

ଟେଲିଫୋନ ମାଧ୍ୟମରେ ଏହି ଷ୍ଟୁଡିଓରେ ଅସହାୟ ଲୋକଙ୍କୁ ଯୋଗାଯୋଗ କରିବା ନିମନ୍ତେ କୁହାଯାଇଥିଲା ଯେପରି ସେମାନଙ୍କୁ ବିପତି ସମୟରେ ସାହାଯ୍ୟ ପହଂଚାଯାଇପାରେ । ଏହା ଛଡା ନିଜ ଅଂଚଳରୁ ବାତ୍ୟା ସମ୍ପର୍କୀୟ ଘଟଣା ଜଣାଇବାକୁ କୁହାଯାଇଥିଲା ।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ସୋଆ ଅଧିନସ୍ଥ ପରିବେଶ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ମେ୧ ଓ ୨ ଦୁଇ ଦିନ ଧରି ଫୋନି ବାତ୍ୟା ସମ୍ପର୍କୀତ ସମସ୍ତ ବିବରଣୀ ବିଷୟରେ ଏକ ସାକ୍ଷାତକାର ଯୋଗେ ଅବଗତ କରାଇଥିଲେ ।

କମ୍ୟୁନିଟି ରେଡିଓ ଯୋଗେ ବିଭିନ୍ନ ସ୍ଥାନରେ ଥିବା ସାମ୍ବାଦିକମାନେ ମଧ୍ୟ ଘୂର୍ଣ୍ଣିବାତ୍ୟା ସମ୍ପର୍କରେ ଘଟଣାର ସିଧା ପ୍ରସାରଣ କରିଥିଲେ ।

ଆର୍ଜେ ସବନମ୍ଙ୍କ ସମେତ ଆର୍ଜେ ରମାବଲ୍ଲଭ, ଆର୍ଜେ କେପି ଏବଂ ଆର୍ଜେ ଗୌର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହା ଛଡା ଇଷ୍ଟେଟ୍ ଅଫିସର ସୁରେଶ ନାୟକ, ସାଉଣ୍ଡ ଇଞ୍ଜିନିୟର ସତ୍ୟରଞ୍ଜନ ସ୍ବାଇଁ ଏବଂ ଟେକ୍ନିସିଆନ୍ ପବିତ୍ର କୁମାର ସାହୁ ଏଥିରେ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.