ଶକ୍ତିଶାଳୀ ହେଉଛି ବାତ୍ୟା ‘ଫନି’ : ସନ୍ଧ୍ୟାରେ ସ୍ପଷ୍ଟ ହେବ ଗତିପଥ, ୨ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା

Published By : Prameya-News7 Bureau | April 30, 2019 IST

ଭୁବନେଶ୍ବର ୩୦|୪: ଧୀରେ ଧୀରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଫନି’ । ତେବେ ଏହା ପୁରୀ ଉପକୂଳ ଛୁଇଁନପାରେ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଏବେ ଏହା ବଙ୍ଗୋପସାଗର ଭିତରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି । ଚେନ୍ନାଇଠାରୁ ୬୭୦ କିଲୋମିଟର ଏବଂ ମଛଲିପଟନମ୍ ରୁ ୭୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ‘ଫନି’ ଏବେ ଘଣ୍ଟାପ୍ରତି ୧୬କିଲୋମିଟର ବେଗରେ ଗତି କରୁଛି ।

ଆସନ୍ତା ୩୬ ଘଣ୍ଟା ଭିତରେ ‘ଫନି’ ଭୀଷଣ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ତେବେ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜଏଣ୍ଟ ଓ୍ବାର୍ଣ୍ଣିଂ ତାଇଫୁନ ସେଣ୍ଟର ଏବଂ ଷ୍ଟର୍ମ ଟ୍ରାକର ଅନୁଯାୟୀ ବାତ୍ୟା ‘ଫନି’ ପୁରୀ ଉପକୂଳ ଛୁଇଁନପାରେ, ଏହା ଆହୁରି ଉତ୍ତରକୁ ବାଲେଶ୍ବର ବା ଦୀଘା ଉପକୂଳ ଛୁଇଁପାରେ ।

ତେବେ ଆଜି ସନ୍ଧ୍ୟା ପରେ ଏହାର ଚିତ୍ର ସ୍ପଷ୍ଟ ହେବ ଯେ, ଏହା ଓଡିଶା ମଧ୍ୟକୁ ପ୍ରବେଶ କରିବ କି ଉପକୂଳ ଆଡକୁ ଗତି କରିବ । ତେବେ ‘ଫନି’ ପ୍ରଭାବରେ ୨ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ପବନର ଘଣ୍ଟା ପ୍ରତି ବେଗ ୧୮୦ରୁ ୨୦୦କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟା ‘ଫନି’ ୪ ତାରିଖରେ ଲ୍ୟାଣ୍ଡ୍ ଫଲ୍ କରିବ । ସେତେବେଳେ ତାହା ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ଥିବ । ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.