ଡାଫଲର ରାଡରରେ ଧରାପଡିଲା ଫୋନି : ପୁରୀଠାରୁ ୫୬୦ କିଲୋମିଟର ଦୂରରେ, ଭୟଙ୍କର ହୋଇ ମାଡି ଆସୁଛି ଓଡିଶା ଆଡକୁ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର୧|୫: ଓଡିଶାର ଡାଫଲର ରାଡରରେ ଧରା ଦେଇଛି ମହାବାତ୍ୟା ଫନି । ପୁରୀଠାରୁ ଫନି ଏବେ ମାତ୍ର ୫୭୦ କିଲୋମିଟର ଦୂରରେ ରହିଛି । ଓଡିଶା ଆଡକୁ ଏହା ଘଣ୍ଟାକୁ ୬ କିଲୋମିଟର ବେଗରେ ମାଡି ଆସୁଛି । ୩ ତାରିଖ ଅର୍ଥାତ ଶୁକ୍ରବାର ଅପରାହ୍ନ ବେଳକୁ ପୁରୀ କିମ୍ବା ଜଗତସିଂହପୁର ଜିଲ୍ଲାରେ ଲେଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଉଛି । ରାଜ୍ୟରେ ଏଥିପାଇଁ ରେଡ ଆଲର୍ଟ ଜାରି କରାଯଇଛି ।

ପୁରୀ ଓ କୋଣାର୍କଭଳି ପର୍ଯ୍ୟଟକ ବହୁଳ ଅଂଚଳରୁ ପର୍ଯ୍ୟଟକଙ୍କୁ ଖାଲି କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀ ହା|ଡା ଏବଂ ପୁରୀ ବିଶାଖାପାଟଣା ମଧ୍ୟ ଦେଇ ଯାତାୟତ କରୁଥିବା ୧୦୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ସଜାଗ କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ, ଅଗ୍ନିଶମ ବାହିନୀ ମୁତୟନ ସରିଛି ।

 ଆସନ୍ତା କାଲିଠାରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୮ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ରିଲିଫ ବ୍ୟବସ୍ଥା ମଧ୍ୟ ହୋଇଛି । ଆଜି ସଂଧ୍ୟରେ ମୁଖ୍ୟମନ୍ତ୍ରୀ ଫୋନି ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ବୈଠକ ପରେ ଗଣ ମାଧ୍ୟମକୁ କହିଛନ୍ତି ।

ସେପଟେ ଦିଲ୍ଲୀଠାରେ ମଧ୍ୟ ଗୃହ ମନ୍ତ୍ରଣାଳୟଠାରେ ଫୋନି ପାଇଁ ସଚ୍ଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ଯୋଗ ଦେଇଥିଲେ । ଆସନ୍ତା କାଲି ଓଡିଶାକୁ ୨ଟି ହେଲିକପ୍ଟର ୟୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ନିଷ୍ପତ୍ତି ନିଆଯାଇଛି । ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଓଡିଶା ସରକାର ବାୟୁସେନାର ମଧ୍ୟ ସହାୟତା ଲୋଡିଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଥିବାବେଳେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ବିପିୟୁଟିର ସେମିଷ୍ଟାର ପରୀକ୍ଷାକୁ ଘୁଞ୍ଚାଇଦିଆଯାଇଛି । ସେହିଭଳି ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଡବ୍ଲୁଇଓ ମୌଖିକ ପରୀକ୍ଷା ମଧ୍ୟ ଘୁଞ୍ଚାଇଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.