Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଫନି’ର ଆଗୁଆ ପ୍ରଭାବ : କୃଷ୍ଣପ୍ରସାଦ ଉଦୟଗିରି ନିକଟରେ କୂଳ ଖାଉଛି ସମୁଦ୍ର

2/05/2019 at 10:19 AM

ଭୁବନେଶ୍ବର ୨|୫: ଓଡିଶା ମୁହାଁ ସାମୁଦ୍ରିକ ଝଡ ‘ଫନି’ । ଏହା ପୁରୀଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ଘଣ୍ଟାକୁ ୭ କିଲୋମିଟର ବେଗରେ ‘ଫନି’ ଓଡିଶା ମୁହାଁ ରହିଛି। ଆସନ୍ତାକାଲି ଅପରାହ୍ନରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ବିଶେଷ କରି ପୁରୀ କିମ୍ବା ଜଗତସିଂହପୁର ଉପକୂଳରେ ଏହା ହିଟ୍‌ କରିବାର ସମ୍ଭାବନା ରହିଛି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ନିକଟ ଉଦୟଗିରି ଗାଁ ପାଖ ସମୁଦ୍ରରେ ବୃଦ୍ଧି ପାଉଛି ଜୁଆର । ସମୁଦ୍ର ଜୁଆର ମାଡରେ ବାଲିବନ୍ଧ ଅଧା ଖାଇଗଲାଣି । ୨୦ ଫୁଟ ଆଗକୁ ଆସୁଛି ଜୁଆର ପାଣି । ଯାହାକୁ ନେଇ ଆତଙ୍କରେ କୃଷ୍ଣପ୍ରସାଦବାସୀ ରହିଛନ୍ତି ।

ଅନ୍ୟପଟେ ୧୯୯୯ ମହାବାତ୍ୟା ପରେ ପ୍ରଥମ ଥର ପାଇଁ କୋଣାର୍କରେ ପ୍ରୋଟେକ୍ସନ ୱାଲକୁ ପାଣି ଛୁଇଁ ଥିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି । ସେପଟେ ‘ଫନି’ ପାଇଁ କୋଣାର୍କରେ ପର୍ଯ୍ୟଟକ ମାନଙ୍କୁ ହୋଟେଲ ଛାଡିବାକୁ କୁହାଯାଇଛି । ସେହିପରି  ବାତ୍ୟା ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।

ଯଦି ଏହା ହୁଏ ତେବେ ପୁରୀ ଓ କୋଣାର୍କର ମେରାଇନ୍ ଡ୍ରାଇଭ୍ ମଧ୍ୟରେ ଥିବା ବାଲୁଖଣ୍ଡ ଅଭୟାଣ୍ୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏହି ଅଭୟାରଣ୍ୟରେ ସ୍ପଟେଡ୍ ଡିଅର ଓ ବ୍ଲାକ୍ ବଗ୍ ଭଳି ବିରଳ ପ୍ରଜାତିର ହଜାର ହଜାର ସଂଖ୍ୟାରେ ହରିଣ ରହିଛନ୍ତି ।  କେବଳ ଏମାନେ ନୁହନ୍ତି , ଜଙ୍ଗଲି ବିଲେଇ, ଗଧିଆ, ହେଟାବାଘ, କୋକଶିଆଳି ଭଳି ଅନେକ ଜୀବଜନ୍ତୁ ଏହି ଅଭୟାରଣ୍ୟରେ ବାସ କରନ୍ତି ।

ଏଥିସହ ଝାଉଁ ଓ କାଜୁ ଜଙ୍ଗଲରେ ଏହି ଅଭୟାରଣ୍ୟ ଭର୍ତ୍ତି । ବାତ୍ୟା ହେଲେ ଏହି ଜଙ୍ଗଲରେ ଥିବା ଏହି ସବୁପ୍ରାଣୀ ଓ ଗଛଲତା ଅନେକ ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏମାନଙ୍କ ସୁରକ୍ଷା ଓ ଉଦ୍ଧାର ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts