ଟଳିଲା ବାତ୍ୟା ଭୟ; ସ୍ଥଳଭାଗ ଛୁଇଁଲା ବାତ୍ୟା 'ଡାଏ'

Published By : Prameya-News7 Bureau | September 21, 2018 IST

ବ୍ରହ୍ମପୁର ୨୧/୯ : ବାତ୍ୟା ଭୟ ଟଳିଛି | ସ୍ଥଳଭାଗ ଛୁଇଁଛି ଅବପାତରୁ ବାତ୍ୟା ରୂପ ନେଇଥିବା 'ଡାଏ' | ଗୁରୁବାର ବିଳମ୍ବିତ ରାତିରେ ଏହା ଗୋପାଳପୁର ଅତିକ୍ରମ କରିବା ପରେ ଏବେ ଛତିଶଗଡ଼ ମୁହାଁ ହୋଇଛି | ଡାଏର ଲ୍ୟାଣ୍ଡଫଲ ପରେ ରାଜ୍ୟରେ ବର୍ଷା ଲାଗିରହିଛି | ବିଶେଷକରି ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ସହ ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି | ପ୍ରବଳ ବର୍ଷାକୁ ନଜରରେ ରଖି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି | ଆଜି ମହରମ ଥିବା ସତ୍ୱେ ୫ଟି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି | ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି | ରାଜ୍ୟର ୩ଟି ଯାକ ବନ୍ଦରରେ ୩ ନମ୍ବର ବିପଦ ସଂକେତ ବଳବତ୍ତର ରହିଛି | ରାଜ୍ୟର ୨୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ | ବାତ୍ୟା ଡାଏର ତୀବ୍ରତା ଏତେ ଅଧିକ ନଥିଲଲଇ ମଧ୍ୟ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି | ବାତ୍ୟା ଡାଏର ପ୍ରଭାବରେ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ଏଯାଏଁ କୌଣସି ସୂଚନା ମିଳିନି | ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ସହ ଉଚ୍ଚ ଜୁଆର ଆସିବାର ସମ୍ଭାବନା ରହିଛି | ଆଜି ଗଜପତି, କନ୍ଧମାଳ, କଳାହାଣ୍ଡି, କୋରାପୁର, ଗଂଜାମ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି | ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ମଧ୍ୟ ସଜାଗ ରଖାଯାଇଛି | ଲାକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.