ମନ୍ନାର ଉପସାଗର ଉପରେ ‘ବୁରେଭି’ସ୍ଥିର, କେରଳ ଓ ମାଲଦ୍ୱୀପ ଲାଗି ବଢୁଛି ସଂକଟ
5/12/2020 at 6:47 PM

ତିରୁଅବନ୍ତିପୁରମ ୫।୧୨: ସାମୁଦ୍ରିକ ବାତ୍ୟା ‘ବୁରେଭି’ର ବିପଦ ଶନିବାର ମଧ୍ୟ ଟଳିନି। ଟୁଥୁକୁଡି-ରାମନାଥପୁରମ ମଧ୍ୟ ଦେଇ ଭୂ-ଭାଗକୁ ବାତ୍ୟା ପ୍ରବେଶ କରିବାର ଥିଲା। ତେବେ ଏହା ଗତ ୩୫ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ହେଲା ରାମନାଥ ଉପକୂଳରେ ରାମନାଥପୁର ଜିଲ୍ଲା ଉପରେ କେନ୍ଦ୍ରିତ ରହିଛି।

ଅବପାତ ସେହିଠାରେ କ୍ରମଶଃ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛନ୍ତି। ଆଗାମୀ ୧୨ ଘଣ୍ଟାରେ କ୍ରମଶଃ ଏହା ଦୁର୍ବଳ ହୋଇଯାଇପାରେ। ତେବେ ବୁରେଭି ପ୍ରଭାବରେ ଲକ୍ଷଦ୍ୱୀପ-ମାଲଦ୍ୱୀପ, କମୋରିନ୍, ଦକ୍ଷିଣ-ପୂର୍ବ ଆରବ ସାଗର ଓ ଦକ୍ଷିଣ କେରଳ ଉପକୂଳରେ ପବନର ବେଗ ବଢିପାଲେ ବୋଲି ଆଶଙ୍କା କରାଯାଉଛି।

ଏବେ ଏହି ସବୁ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହୁଥିବା ବେଳେ ରହି ରହି ବର୍ଷା ହେଉଛି। ତେବେ ବୁରେଭି ପ୍ରଭାବରେ ବର୍ଷା ଯୋଗୁ ଚିଦମ୍ବରମରେ ନଟରାଜ ମନ୍ଦିରରେ ପାଣି ଭରିଯାଇଛି। ରାମେଶ୍ୱରମକୁ ବିଦ୍ୟୁତ ଯୋଗାଣ ବ୍ୟହତ ହୋଇଥିବା ବେଳେ ପବନ ବର୍ଷା ଆଶଙ୍କାରେ ଆଉ କିଛି ସମୟ ଲୋକଙ୍କୁ ବିନା ବିଦ୍ୟୁତରେ ରହିବାକୁ ପଡିପାରେ ବୋଲି ବିପର୍ଯ୍ୟୟ ପ୍ରସମନ ବିଭାଗ କର୍ମଚାରୀ କହିଛନ୍ତି। ତେବେ ବାତ୍ୟାର ପ୍ରକୋପ ଥମିଥିବାରୁ ତିରୁଅବନ୍ତୀପୁରମ ବିମାନ ବନ୍ଦରକୁ ପୁଣି ଚାଲୁ କରାଯାଇଛି।