CYCLONE ‘BULBUL’ UPDATE : ପାରାଦୀପଠାରୁ ୩୫୦କି.ମି. ଦୂରରେ ବାତ୍ୟା ‘ବୁଲ୍ବୁଲ୍’, ୪ ଜିଲ୍ଲାରେ ପ୍ରବଳ ବର୍ଷିବ
8/11/2019 at 11:06 AM

ଭୁବନେଶ୍ବର ୮।୧୧: ଭୀଷଣ ସାମୁଦ୍ରିକ ବାତ୍ୟା ‘ବୁଲବୁଲ୍’ ଏବେ ପାରାଦୀପଠାରୁ ୩୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏବେ ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୧୨ଘଣ୍ଟା ଭିତରେ ଏହା ଆହୁରି ଘନୀଭୂତ ହେବ । ୧୦ତାରିଖ ସକାଳ ସୁଦ୍ଧା ସାମୁଦ୍ରକ ବାତ୍ୟା ‘ବୁଲବୁଲ୍’ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ । ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପରା ମଝିରେ ଏହା ଲାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଲାଣ୍ଡଫଲ ସମୟରେ ଏହା ଭୀଷଣ ଚକ୍ରବାତରେ ପରିବର୍ତ୍ତନ ହୋଇଥିବ । ତେବେ ଆଜି ସଂଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ସମୁଦ୍ର ଭିତରେ ଅତି ଭୀଷଣ ଚକ୍ରବାତର ରୂପ ନେବ । କାଲି ସଂଧ୍ୟା ପର୍ଯ୍ୟନ୍ତ ଏହା ଅତି ଭୀଷଣ ଚକ୍ରବାତ ରହିବ । ଏହାର ପ୍ରଭାବରେ ଓଡିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଆଜିଠୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜିଠାରୁ ୧୦ତାରିଖ ପର୍ଯ୍ୟନ୍ତ ଓଡିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ଓ ପବନ ହେବ । ଆଜି ବାଲେଶ୍ବର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁରରେ ପ୍ରବଳ ବର୍ଷିବ । ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂପୁର, ମୟୁରଭଞ୍ଜ, କଟକ ଏବଂ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବ । ଆସନ୍ତାକାଲି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ।