ଆସିଲା ସ୍ପଷ୍ଟ ଚିତ୍ର : ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ‘ବୁଲ୍‌ବୁଲ୍’, ଭଦ୍ରକ ଓ ବାଲେଶ୍ବରକୁ ବେଶୀ ବିପଦ

Published By : Prameya-News7 Bureau | November 08, 2019 IST

ଭୁବନେଶ୍ବର ୮।୧୧:  ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ବୁଲବୁଲ’ । ଆସନ୍ତା ୧୦ତାରିଖ ଭୋରରୁ ସ୍ଥଳଭାଗ ଛୁଇଁବ ‘ବୁଲବୁଲ’ । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝି ସୁନ୍ଦରବନରେ ବାତ୍ୟା ‘ବୁଲବୁଲ’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଭୁବନେଶ୍ବରଠାରୁ ୩୯୪ କି.ମି. ଦୂର ସୁନ୍ଦରବନ । ବାତ୍ୟା ‘ବୁଲବୁଲ’ ସୁନ୍ଦରବନରେ ଲ୍ୟାଣ୍ଡଫଲ କଲେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ବେଶୀ ପ୍ରଭାବିତ ହେବ । ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ହେବ ।

ବାତ୍ୟା ‘ବୁଲବୁଲ’ ପ୍ରଭାବରେ ଆଜିଠାରୁ ଉତ୍ତର ଉପକୂଳରେ ଆରମ୍ଭ ହୋଇଯାଇଛି ବର୍ଷା । ଓଡିଶା ଅତିକ୍ରମ କଲାବେଳକୁ ଏହା ଭୀଷଣ ରୂପ ନେବ । ଆସନ୍ତା ୧୦ରେ ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ‘ବୁଲବୁଲ୍’ । ଲ୍ୟାଣ୍ଡଫଲ କରିବା ସମୟରେ ପାରାଦୀପରୁ ୧୩୪ କି.ମି. ଦୂରରେ ବାତ୍ୟା ‘ବୁଲବୁଲ’ ରହୁଥିବାରୁ ୪ ଜିଲ୍ଲାରେ ବିଶେଷ ପ୍ରଭାବ ପଡିବ । ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୬୫ କି.ମି. ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଆସନ୍ତାକାଲି ପବନର ବେଗ ୭୦ରୁ ୮୦ କି.ମି. ରହିବ । ୧୦ ତାରିଖ ବେଳକୁ ବାତ୍ୟା ପ୍ରଭାବ ରହିବ ନାହିଁ । ଅପରାହ୍ନରୁ ପବନର ବେଗ ବଢିବ ।

୯ ଜିଲ୍ଲାକୁ ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ପଠାଯାଇଛି । ବାତ୍ୟା ସମୟରେ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଅତିରିକ୍ତ ଆଧୁନିକ ଉପକରଣ ସହ ଦୁଇଟି ଅଗ୍ନିଶମ ଟିମକୁ ବି ପଠାଯାଇଛି । ଭୁବନେଶ୍ବରରେ ୬୦ ଜଣ ଅତିରିକ୍ତ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.