ପାରାଦୀପଠାରୁ ୯୫ କି.ମି. ଦୂରରେ ବାତ୍ୟା ‘ବୁଲବୁଲ’ : ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୧୦ରୁ ୧୨୦କି.ମି. ପର୍ଯ୍ୟନ୍ତ ରହିବ ପବନର ବେଗ

Published By : Prameya-News7 Bureau | November 09, 2019 IST

ଭୁବନେଶ୍ବର ୯।୧୧: ଅତି ଭୟଙ୍କର ରୂପ ଧାରଣ କଲା ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ । ପାରାଦୀପଠାରୁ ୯୫ କିଲୋମିଟର ଦୂରରେ ରହିଛି ବାତ୍ୟା ‘ବୁଲବୁଲ’ । ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ‘ବୁଲବୁଲ’ ।

ଆଜି ମଧ୍ୟରାତ୍ର ସୁଦ୍ଧା ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଏବଂ ବାଂଲାଦେଶର ଖେପୁପରା ମଝିରେ ସୁନ୍ଦରବନରେ ‘ବୁଲବୁଲ’ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦କିଲୋମିଟର ପର୍ଯ୍ୟନ୍ତ ରହିବ । ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୧୩୫କିଲୋମିଟର ହୋଇପାରେ ।

ଏହାର ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂପୁରରେ ପ୍ରବଳ ବର୍ଷା ହେବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂପୁର ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୭୦କିଲୋମିଟର ରହିବ । କିଛି ସ୍ଥାନରେ ପବନର ବେଗ ୯୦କିଲୋମିଟର ଛୁଇଁପାରେ ।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ସମୁଦ୍ର ବେଶ ଅଶାନ୍ତ ରହିବ । ୨ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଉଠିବାର ଆଶଙ୍କା ରହିଛି । ଆଜି ମଧ୍ୟାହ୍ନ ସୁଦ୍ଧା ବାତ୍ୟା ‘ବୁଲବୁଲ୍’ ଓଡିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ବାତ୍ୟା  ‘ବୁଲବୁଲ’ ଲାଗି ୧୦ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜରେ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି । କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ଟିମ୍ ପ୍ରସ୍ତୁତ ହୋଇ ରହିଛି ।

ଆଶ୍ରୟସ୍ଥଳୀରେ ଖାଦ୍ୟ ଏବଂ ପାନୀୟ ଜଳ ବ୍ୟବସ୍ଥା ରଖିବାକୁ କୁହାଯାଇଛି । ବାତ୍ୟା ପ୍ରଭାବିତ ସମସ୍ତ ଜିଲ୍ଲାରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରକୁ ୨ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଓଡିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ରରେ ମାଛମରାକୁ ୧୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ମୁଖ୍ୟ ଶାସନ ସଚିବ ଆଜି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ଯାଇ ‘ବୁଲବୁଲ’ ସ୍ଥିତି ସମୀକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.