ଆସୁଛି ବଡ ବାତ୍ୟା ! ପୂଜା ବେଳେ ଓଡିଶା ଉପକୂଳରେ ମାଡ ହେବା ସମ୍ଭାବନା

Published By : Prameya-News7 Bureau | October 07, 2021 IST

ଭୁବନେଶ୍ୱର ୦୭/୧୦: ବାତ୍ୟା ଡର ମାଡ଼ି ଆସିଲାଣି । ଠିକ୍‌ ପୂଜା ବେଳେ (ନବମୀ କିମ୍ବା ଦଶମୀ) ଦକ୍ଷିଣ ଓଡ଼ିଶାରେ ମାଡ଼ ହୋଇପାରେ । ବାତ୍ୟାରୁ ବର୍ତ୍ତିଗଲେ ବି ପ୍ରବଳ ବର୍ଷାରେ ବୁଡ଼ିବ ଓଡ଼ିଶା ।ଏମିତି ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞମାନେ ।

ପାଣିପାଗ ବିଭାଗ କିନ୍ତୁ ଏବେଠାରୁ ସେମିତି କୌଣସି ସୂଚନା ଦେଇ ନାହିଁ । କହିଛି, ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣିବଳୟ ସୃଷ୍ଟି ହେବ । ଯାହା ଅବପାତ (ଡିପ୍ରେସନ୍‌) ରୂପ ନେବା କ୍ଷୀଣ ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଦିଗରେ ଗତି କରି ଚାରି ପାଞ୍ଚ ଦିନ ମଧ୍ୟରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁମାନ ଅନୁସାରେ, ଦୁଇଟି ଘୂର୍ଣ୍ଣିବଳୟ କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ । ଏବେ ଗୋଟିଏ ମ୍ୟାଁମାର୍‌ ଉପରେ ରହିଛି, ଯାହା ୧୧ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ । କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ତାପମାତ୍ରା ଏବଂ ଉପର ବାୟୁମଣ୍ଡଳର ସ୍ଥିତି ଏମିତି ରହିଛି ଯେ ଲଘୁଚାପ ଘନୀଭୂତ ହେବ । ଏହା ବାତ୍ୟା ରୂପ ନେବା ଆଶଙ୍କା ବି ରହିଛି । ଗତିପଥ ରହିବ ଉତ୍ତର-ଉତ୍ତର ପଶ୍ଚିମ । ଏପରି ହେଲେ ଆନ୍ଧ୍ରପ୍ରଦେଶର କାକିନାଡ଼ାରୁ ଗୋପାଳପୁର ଭିତରେ ବାତ୍ୟା ମାଡ଼ ହୋଇ ପାରେ। ଯାହା ହେଲେ ବି ଓଡ଼ିଶାରେ ୧୩ ତାରିଖ, ଅର୍ଥାତ୍‌ ଅଷ୍ଟମୀ ଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୪ ତାରିଖ କିମ୍ବା ୧୫ ତାରିଖରେ ମାଡ଼ ହୋଇପାରେ ବାତ୍ୟା । ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ଦ୍ୱିତୀୟଟି ଏବେ ଦକ୍ଷିଣ ଚୀନ ସାଗରରେ ରହିଛି । ବାତ୍ୟା ରୂପ ନେଇ ଏହା ଭିଏତନାମ, କାମ୍ବୋଡ଼ିଆ, ଥାଇଲାଣ୍ଡ ଉପସାଗର ଏବଂ ମ୍ୟାଁମାର୍‌ ଅତିକ୍ରମ କରି ପ୍ରାୟ ଏକା ସମୟରେ ଦକ୍ଷିଣ ବଙ୍ଗୋପସାଗରରେ ପ୍ରବେଶ କରିବ । ଏହା ବି ଘନୀଭୂତ ହେବା ପାଇଁ ଅନୁକୂଳ ପାଗ ରହିଛି । ଯଦି ପ୍ରଥମଟି ବିଶେଷ ଘନୀଭୂତନ ହୁଏ ଦ୍ୱିତୀୟ ଘନୀଭୂତ ହୋଇ ଆନ୍ଧ୍ର ମୁହାଁ ଗତି କରିବ ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ୧୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା କିମ୍ବା ଗଭୀର ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟା କେବେ ଓ କେଉଁଠି ହେବ, ତାହା ଏବେଠୁ କହିବା ସମ୍ଭବ ନୁହଁ । ୧୩ ତାରିଖ ବେଳକୁ ଗତି ଆରମ୍ଭ ହେବ । ଓଡ଼ିଶା ପ୍ରତି ପ୍ରଭାବର ଆଶଙ୍କାକୁ ଏଡ଼ାଇ ଦିଆ ନ ପାରେ ।
ସ୍ମରଣଯୋଗ୍ୟ, ୨୦୧୩ରେ ‘ଫାଇଲିନ୍‌’ ଏବଂ ପର ବର୍ଷ ‘ହୁଡ୍‌ହୁଡ୍‌’ ବାତ୍ୟା ପୂଜା ବେଳେ ହିଁ ତାଣ୍ଡବ ରଚାଇଥିଲା ।

ସମ୍ଭାବ୍ୟ ଲଘୁଚାପ ଓ ଏହାର ଓଡ଼ିଶାରେ ପ୍ରଭାବକୁ ଆଶଙ୍କା କରି ପୂର୍ବରୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା । ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.