ମାଡି ଆସୁଛି ଅମ୍ଫାନ, ଆଜି ରାତି ବେଶୀ ଗୁରୁତ୍ୱପୂର୍ଣ୍ଣ : ବାତ୍ୟା ମୁକାବିଲା ଜୋରଦାର, ନିରାପଦ ସ୍ଥାନକୁ ସ୍ଥାନାନ୍ତର ହେଲେଣି ୩୫ହଜାର

Published By : Prameya-News7 Bureau | May 19, 2020 IST

ଭୁବନେଶ୍ୱର, ୧୯|୦୫: ମାଡ଼ି ଆସୁଛି ମହାବାତ୍ୟା ଅମ୍ପାନ । ଆସନ୍ତାକାଲି ଅପରାହ୍ନ ପରେ ଏହା ସୁନ୍ଦରବନ ତ୍ରିକୋଣଭୂମୀରେ କରିବ ଲ୍ୟାଣ୍ଡଫଲ୍ ।  ଓଡ଼ିଶାର ୧୨ଟି ଜିଲ୍ଲାରେ  ଏହାର ପ୍ରଭାବ ଅନୁଭୂତ ହେବ ।  ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ । ପବନର ତୀବ୍ରତା ବି ରହିବ । କିନ୍ତୁ ଗତ ଦଶନ୍ଧିରେ ଏକାଧିକ ବାତ୍ୟାର ସଫଳ ମୁକାବିଲା କରିଥିବା ଓଡ଼ିଶା ଏଥର ମଧ୍ୟ ଆଉ ଏକ ବାତ୍ୟା ଚ୍ୟାଲେଞ୍ଜ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଉତ୍ତର ଓଡିଶାରେ ପ୍ରଭାବ ପକାଇପାରେ ବାତ୍ୟା ଅମ୍ଫାନ । ବିଶେଷକରି ୬ ଜିଲ୍ଲା   ଭଦ୍ରକ, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଯାଜପୁର ଓ ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ରହିବା ଆଶଙ୍କା ଅଛି । ଲଗାଣ ବର୍ଷା  ସହ ଜୋରରେ ପବନ ବହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ବି ଜୋରଦାର କରିଛନ୍ତି । ଏହି ଜିଲ୍ଲାଗୁଡ଼ିକରେ ୧୬ ଓଡ୍ରାଫ, ୧୫ ଏନଡିଆରଏଫ୍, ୨୧୭ ଅଗ୍ନିଶମ ବିଭାଗ, ୭୫ OFDC ଟିମକୁ ନିୟୋଜିତ କରାଯାଇଛି । ଏହାସହ ଭୁବନେଶ୍ବରରେ ୫ଟି ଓଡ୍ରାଫ ଏବଂ ୫ ଏନଡିଆରଏଫ୍  ଟିମକୁ ଷ୍ଟାଣ୍ଡବାଇରେ ରଖାଯାଇଛି  । ଜିଲ୍ଲାଗୁଡ଼ିକରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ତଳି ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଉଛି । ଚାଳ, ଟାଇଲ ଏବଂ ଆଜବେଷ୍ଟସ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯାଉଛି । ଜିଲ୍ଲାପାଳମାନେ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ସେହିପରି, ବିଦ୍ୟୁତ ସଂଯୋଗ ବ୍ୟାହତ ହେଲେ,  ଜଳଯୋଗାଣ ପାଇଁ  ୨୩୬ ଡିଜି ସେଟ ଏବଂ ୧୯୯ ମୋବାଇଲ ରିପେୟାର ୟୁନିଟ ପ୍ରସ୍ତୁତ ରଖାଯାଇଛି । ସେହିପରି, ୨ ହଜାର ୯୬୦ ଓଭର ହେଡ ଟାଙ୍କିରେ ପାଣି ଲୋଡ଼ କରି ରଖାଯିବ ବୋଲି ଏସଆରସି କହିଛନ୍ତି । ବାତ୍ୟା ଆଶଙ୍କାଥିବା ଅଞ୍ଚଳର ଲୋକଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ବାତ୍ୟା ସମ୍ପର୍କରେ SMS  ଏବଂ ସାଇରନ ଯୋଗେ ସଚେତନ କରାଯିବ ।

ମହାବାତ୍ୟା ଅମ୍ପାନର ପ୍ରଭାବ ଆଶଙ୍କା ଥିବା ଏହି ୬ଟି ଜିଲ୍ଲାରେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ବ୍ୟତୀତ, ଜଣେ ଜଣେ ଆଇ.ଏ.ଏସ୍. ଏବଂ ଆଇ.ପିଏସ୍.  ଅଫିସରଙ୍କୁ ମଧ୍ୟ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ତେଣୁ, ଜିରୋ କାଜୁଆଲଟି ସହ ବାତ୍ୟାର ମୁକବିଲା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସମ୍ଫୂର୍ଣ୍ଣ ଲାଗିପଡ଼ିଛନ୍ତି । କ୍ଷୟକ୍ଷତି ଯେପରି କମ ହେବ ତା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଅଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଅଞ୍ଳରେ ଓଡ୍ରାଫ୍‌ ଏନ୍‌ଡିଆରଏଫ୍ ଟିମ୍ ଆବଶ୍ୟକ ସରଞ୍ଜାମ ସହ ପହଞ୍ଚି ସାରିଛନ୍ତି । ବ୍ଲକ୍‌ଗୁଡିକରେ ଶୁଖିଲା ଖାଦ୍ୟ, ପିଇବା ପାଣି ମହଜୁଦ ରଖାଯାଇଛି । ମେଡିକାଲ୍ ଟିମ୍‌ ବି ପ୍ରସ୍ତୁତ ଅଛନ୍ତି ।

ଏସଆସି କହିଛନ୍ତି ଯେ, ଆସନ୍ତାକାଲି ସକାଳଠାରୁ ଓଡିଶାରେ ପବନ ହେବ ।ଭୋଗରାଇ ତଳସାରି ଅଞ୍ଚଳରେ ଅଧିକ ପବନ ହେବ ।ଏଠାରେ ଘଣ୍ଟା ପ୍ରତି ପବନର ବେଗ ୧୨୫ କିମି ହୋଇପାରେ । ଏପରିକି ବିଳମ୍ବିତ ରାତ୍ରରେ ମଧ୍ୟ ହଠାତ ପବନ ହୋଇପାରେ । ଆସନ୍ତାକାଲି ଦିନ ୨ଟା ସୁଦ୍ଧା ଅମ୍ଫାନ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ବୁଧବାର ଦିନ ୩ ଯାଏଁ ପବନର ପ୍ରଭାବ ରହିବ ।

ଏସଆରସି ଆହୁରି କହିଛନ୍ତି ଯେ, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।ଆଜି ଅପରାହ୍ନ ୩ଟା ସୁଦ୍ଧା ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏପରିକି ଆଜିର ରାତି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି କହିଛନ୍ତି ।

୧୯୯୯ ମହାବାତ୍ୟାରେ ବିପୁଳ କ୍ଷତି ସହିଥିଲା  ଓଡ଼ିଶା । ୧୦ହଜାରରୁ ଅଧିକ ଜୀବନ ଯାଇଥିଲା । କିନ୍ତୁ ଏହାପରେ, ଫାଇଲିନ୍, ହୁଡହୁଡ, ବୁଲବୁଲ, ତିତଲି ଏବଂ ଫନି ଭଳି ଏକାଧିକ ସାମୁଦ୍ରିକ ଝଡ଼କୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା । କିନ୍ତୁ, ବର୍ତ୍ତମାନ ମହାମାରୀ କରରୋନାର ମୁକାବିଲା ସହ ଅମ୍ଫାନର ଚ୍ୟାଲେଞ୍ଜକୁ ରାଜ୍ୟ ସାମ୍ନା କରିବାକୁ ଜୋରଦାର ପ୍ରସ୍ତୁତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.