ବେଙ୍ଗଲରେ ୧୮୩୮ ମସିହାର ସ୍ମୃତିକୁ ପୁଣି ତାଜା କଲା ‘ଅମ୍ଫାନ’, ହାୱଡା ସମେତ ବିଭିନ୍ନ ସ୍ଥାନରେ ୪ ମୃତ, ବଢିପାରେ ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | May 20, 2020 IST

କୋଲକାତା୨୦।୫: ଦକ୍ଷିଣ ବଙ୍ଗୋପସାଗରରୁ ଉଠିଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ବୁଧବାର ଓଡିଶା-ପଶ୍ଚିମବଙ୍ଗ ସୀମାରେ ଭୂ-ଭାଗକୁ ପ୍ରବେଶ କରିବା ସହ ଉପକୂଳ ଅତିକ୍ରମ କରିଛି। ଅମ୍ଫାନ ପ୍ରଭାବରେ ପ୍ରତି ଘଣ୍ଟା ୧୧୨ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଥିବା ବେଳେ ବଢି ବଢି ୧୩୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା। କେବଳ ରାଜଧାନୀ କୋଲକାତାରେ ଦୀର୍ଘ ୫ ଘଣ୍ଟା ଧରି ଅମ୍ଫାନ ତାଣ୍ଡବ ରଚିଥିବା ବେଳେ ହାୱଡା ସମେତ ବିଭିନ୍ନ ସ୍ଥାନରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅମ୍ଫାନ କୂଳଅତିକ୍ରମ କରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା। ଏଣୁ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ।

{"id":273200,"sizeSlug":"large"}

ବାତ୍ୟା ତାଣ୍ଡବ ରଚିଥିବା ବେଳେ ହାୱଡା ରାଜକିଶୋର ଚୌଧୁରୀ ଲେନରେ ଟିଣ ଆଜବେଷ୍ଟସ ଉଡି ଜନୈକା କିଶୋରୀଙ୍କ ମୁଣ୍ଡରେ ବାଜିବାରୁ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ କିଶୋରୀଙ୍କୁ ଲକ୍ଷ୍ମୀ କୁମାରୀ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେ ହାୱଡା ନିବାସୀ ରାଜେଶ ସାହୁଙ୍କ ଝିଅ ବୋଲି ଜଣାପଡିଛି। ସେହିପରି ବସୀର ହାଟରେ ମହନ୍ତ ଦାସ ନାମକ ଜନୈକ ବ୍ୟକ୍ତି ଗଛ ପଡି ପ୍ରାଣ ହରାଇଥିବା ଜଣାପଡିଛି। ମହନ୍ତଙ୍କ ଘର ଅଗଣାରେ ଥିବା ଗଛଟି ଉପୁଡି ତାଙ୍କ ଉପରେ ପଡିଯାଇଥିଲା। ସେହିପରି ମିନଖରରେ ଜନୈକା ୫୮ ବର୍ଷ ବୟସ୍କା ମହିଳା ନୁରଜହାଁ ବେହେରା ମଧ୍ୟ ଗଛପଡି ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଜଣକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

{"id":273202,"width":584,"height":435,"sizeSlug":"large"}

ଝଡବତାସରେ ଅନେକ ଘରର ଦ୍ୱାର କବାଟ ଉଡିଯାଇଥିବା ବେଳେ ଉଚ୍ଚ ବିଲ୍ଡିଂର ଉପରେ ଥିବା ଆଜବେଷ୍ଟର ଛପର ମଧ୍ୟ ଉଠାଇନେଇଛି। ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଅବରୋଧ ହୋଇଛି। କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ହସ୍ପିଟାଲ, ଥାନା ଓ ପ୍ରମୁଖ ସଡକକୁସଂଯୋଗ କରୁଥିବା ରାସ୍ତାରେ ପଡିଛି। ଫଳରେ ଲୋକେ ଜରୁରି ସେବା ଲାଗି ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବାତ୍ୟା ଭୂ-ଭାଗକୁ ପ୍ରବେଶ କରିଥିବା ଉପକୂଳ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ୍ତବିଧ୍ୱଂସ୍ତ କରିଯାଇଥିବା ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ୍ଟ୍ରୋଲ ରୁମରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ରାଷ୍ଟ୍ରମନ୍ତ୍ରୀ ଫରହାଦ ହକିମ୍‌ ପୌରପାଳିକାରେ ଉପସ୍ଥିତ ରହି କୋଲକାତା ସହରର ସମସ୍ତ କ୍ଷୟକ୍ଷତି ଉପରେ ନଜର ରଖିଛନ୍ତି।

{"id":273210,"sizeSlug":"large"}

ନାଭାନାରୁ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବାତ୍ୟା ଯୋଗୁ ରାଜ୍ୟର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସାଧାରଣ ଲୋକଙ୍କ ସାହାଯ୍ୟରେ ପ୍ରଶାସନ ମାତ୍ର ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିପାରିଥିଲେ। ତେବେ ଅନେକ ପ୍ରଭାବିତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ନନ୍ଦିଗ୍ରାମ ଓ ରାମନଗରରେ ଭୀଷଣ କ୍ଷୟକ୍ଷତି ହୋଇଛି। ସେହିପରି ଦକ୍ଷିଣ ୨୪ ପ୍ରଗଣା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପୃଥ୍ରପ୍ରତିମା, ନାମଖାନା, କାକଦ୍ୱୀପ, କୁଲତାଲି, ବାରୁପୁର, ସୋନାରପୁର ସବୁଆଡୁ ବିନାଶର ଖବର ଆସୁଛି।
ରାଜାରହାଟ, ହସନାବାଦ, ସାଣ୍ଡେଶଖାଲି, ଗୋସାବା ଓ ହାୱଡା ବିପର୍ଯ୍ୟସ୍ତ ହୋଇପଡିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ସମୁଦାୟ କ୍ଷତି ଏପର୍ଯ୍ୟନ୍ତ ଗଣନା କରାଯାଇ ନାହିଁ ବୋଲି ମମତା କହିଛନ୍ତି।

{"id":273211,"width":582,"height":383,"sizeSlug":"large"}

ଗତବର୍ଷ ସାମୁଦ୍ରିକ ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିଲା। ତେବେ ସେତେବେଳେ ହୋଇଥିବା କ୍ଷୟକ୍ଷତିକୁ ଅମ୍ଫାନ ବଳେଇଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୋଟିଏ ପଟେ କରୋନା ଲକଡାଉନ୍‌ ଯୋଗୁ ରାଜ୍ୟରେ ସମସ୍ତ ଗତିବିଧି ବନ୍ଦ ରହିଥିବା ବେଳେ ଅମ୍ଫାନ ପଶ୍ଚିମବଙ୍ଗ ଉପରେ ଦୋହରା ମାଡ କରିଛି। ୧୮୩୮ ମସିହାରେ ପଶ୍ଚିମବଙ୍ଗ ଉପକୂଳରେ ଏହିଭଳି ଏକ ଭୟାନକ ସାମୁଦ୍ରିକ ବାତ୍ୟା ପ୍ରଭାବିତ ହୋଇଥିଲା। ୧୧ ଅକ୍ଟୋବର ୧୮୩୮ର ଏହି ପ୍ରାକୃତିକ ବିତ୍ପାତ ବେଙ୍ଗଲର ବ୍ୟାପକ କ୍ଷୟକ୍ଷତି କରିଥିଲା। ୬ ଘଣ୍ଟା ପର୍ଯ୍ୟନ୍ତ ଉପକୂଳରେ ତାଣ୍ଡବ ରଚିଥିବା ଏହି ଝଡବତାସରେ ସେତେବେଳେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

{"id":273212,"width":584,"height":363,"sizeSlug":"large"}

ଏହି ସାମୁଦ୍ରିକ ବାତ୍ୟାରେ ପଶ୍ଚିମବଙ୍ଗ ଉପକୂଳରେ ଲଙ୍ଗରପକାଇଥିବା ଅନେକ ଜାହାଜ ବୁଡି ଓ ଭାସି ଯାଇଥିଲେ। ଏଣୁ ଯେତେବେଳେ କୌଣସି ସାମୁଦ୍ରିକ ବିପତ୍ତିର ସୂଚନା ମିଳେ ସେତେବେଳେ ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଥାନ୍ତି। ସେହି ଅନୁସାରେ ଶାଲିମାରରେ ଦୂରନ୍ତ ଏକ୍ସପ୍ରେସକୁ ଟ୍ରାକ୍‌ ସହ ଶିକୁଳିରେ ବାନ୍ଧି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.