ଆମ୍ଫାନରେ ପବନର ବେଗ ଘଣ୍ଟାକୁ ୧୫୦ରୁ ୧୬୦ କିମି ରହିପାରେ, କିନ୍ତୁ ଫନିଠୁ କମ୍ ବୁଲବୁଲ ଠାରୁ ଅଧିକ ଶକ୍ତିଶାଳୀ

Published By : Prameya-News7 Bureau | May 16, 2020 IST

ଭୁବନେଶ୍ୱର, ୧୬|୦୫: ଫନି ବାତ୍ୟାଠାରୁ କମ୍  ଓ ବୁଲବୁଲ ଠାରୁ ଅଧିକ ଶକ୍ତିଶାଳୀ ରହିବ ଆମ୍ଫାନ । ସମ୍ଭବ୍ୟ ବାତ୍ୟା ଆମ୍ଫାନର ଶକ୍ତିନେଇ ପୂର୍ବନୁମାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।  ଏବେ ଅବପାତରେ ପରିଣତ ହୋଇଥିବା ବାତ୍ୟା ଆସନ୍ତା ୧୨ ଘଣ୍ଟାରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ।

ଆସନ୍ତାକାଲି ଠାରୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।  ସେହିପରି ୧୮ ତାରିଖରେ ଏବଂ ୨୦ ତାରିଖରେ ଗତିପଥ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଆମ୍ଫାନ ପଶ୍ଚିମବଙ୍ଗ ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ  ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଲାଂଦେଶରେ ଏହାର ପ୍ରଭାବରେ ବର୍ଷା ହେବ । ଓଡ଼ିଶାରେ ୧୮ ତାରିଖ ସନ୍ଧ୍ୟାରୁ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ କ୍ରମଶଃ ବର୍ଷା ବଢ଼ିବ। ସେହିପରି ୨୦ତାରିଖରେ ବର୍ଷା ସହିତ ପବନ ବହିବାର ସମ୍ଭାବନା ରହିଛି । ତେବେ ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ୧୫୦ରୁ ୧୬୦ କିମି ବେଗରେ ପବନ ବହିବ ବୋଲି ଅନୁମାନ କରିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ସଂଧ୍ୟା ୫ଟା ୩୦ ସୁଦ୍ଧା ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେବ । ଆସନ୍ତାକାଲି ସକାଳ ୫ଟା ୩୦ ସୁଦ୍ଧା ଆମ୍ଫାନ୍ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣର ହେବ । ୧୭  ସଂଧ୍ୟାରେ ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ । ୧୮ ତାରିଖ ସକାଳେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ୧୮ ତାରିଖ ସଂଧ୍ୟା ୫ଟା ୩୦ ଏବଂ ୧୯ ତାରିଖ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ 'ଆମ୍ଫାନ୍' ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ବଙ୍ଗୋପସାଗରରେ ରହିବ । ୧୯ ତାରିଖ ସଂଧ୍ୟା ୫ଟା ୩୦ରେ ଏହା ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ପ୍ରଳୟଙ୍କରୀ ବାତ୍ୟାରେ ପରିଣତ ହେବ । ୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ଆମ୍ଫାନ୍ । ତେବେ ବାତ୍ୟା ଓଡ଼ିଶା ଛୁଇଁବ କି ନା ତାହା ଏଯାଏ ସ୍ପଷ୍ଟ ହୋଇନି । 

ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେ ବିଷୟରେ କିଛି ସ୍ପଷ୍ଟ ଆକଳନ କରାଯାଇ ନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ବେଙ୍ଗଲ ଉପକୂଳ ଛୁଇଁପାରେ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପାଣିପାଗ ବିଭାଗ ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି । ଏସଆରସିଙ୍କ ସୂଚନା ଅନୁଯାୟୀ, ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଛି ଆମ୍ଫାନ୍ । ଏବେ ଏହା ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ଆଗାମୀ ୧୭ ତାରିଖ ସଂଧ୍ୟାରେ ବାତ୍ୟାର ଗତି ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଛି। ଏହା ବେଙ୍ଗଲ ଉପକୂଳକୁ ଗତି କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କହିଛନ୍ତି। ଏଥିନେଇ ରାଜ୍ୟ ସରକାର ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ଏସଆରସି କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ଆଲର୍ଟ କରାଯାଇଛି । ସଂଧ୍ୟାରେ ଏସବୁ ଜିଲ୍ଲାର ଜିଲ୍ଳାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.