ଅମ୍ଫାନ କରିବ ବହୁ କ୍ଷୟକ୍ଷତି: କଚା ଘରକୁ ବିପଦ ବେଶୀ, ପବନରେ ବିଦ୍ୟୁତ ଖୁଣ୍ଟି ଓ ଗଛ ପାଖରେ ଡର, ସତର୍କ କଲେ ଏସଆରସି

Published By : Prameya-News7 Bureau | May 19, 2020 IST

ଭୁବନେଶ୍ୱର, ୧୯|୦୫:    ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ମହାବାତ୍ୟା ଅମ୍ଫାନ୍‌ । ସମୁଦ୍ର ଭିତରେ ଏହି ମହାବାତ୍ୟାର ପ୍ରଭାବରେ ପବନର ବେଗ ରହିଛି ୨୨୦ରୁ ୨୪୦ କିଲୋମିଟର । କିନ୍ତୁ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି । ଆଜି ରାତିରୁ ଆସନ୍ତାକାଲି ଅପରାହ୍ଣ ଭିତରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ଦୀପ ଭିତରେ ସୁନ୍ଦରବନ ଆଡ଼କୁ ମୁହାଁଇବ ।

ତେବେ ବାତ୍ୟା ପ୍ରଭାବରେ କଣ ସମ୍ଭାବ୍ୟ କ୍ଷୟକ୍ଷତି ବାବଦରେ ଏସଆରସି ସତର୍କ କରାଇଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ କଣ କ୍ଷତି ହୋଇପାରେ ସେନେଇ ଏସଆରସିଙ୍କ ତରଫରୁ ସୂଚନା ଦିଆଯାଇଛି ।

ଏସଆରସିଙ୍କ କହିବାନୁସାରେ, ଚାଳଛପର ଆଦି କଚା ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ତେବେ ପକ୍କା ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇପାରେ । ଏପରିକି ଇଲେକ୍ଟ୍ରିକ୍ ପୋଲ୍ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ରହିଛି । କଚା ଓ ପକ୍କା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ରେଳ ଲାଇନ୍, ପାଣିଟାଙ୍କି ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । କିଛି ସ୍ଥାନରେ ଚାଷକାର୍ଯ୍ୟ, ନଡିଆ, ଆମ୍ବ ଆଦି କ୍ଷତିଗ୍ରସ୍ତ ହେବ ।

ସ୍ୱତନ୍ତ୍ର ରିଲିଫ କମିଶନର ସମୁଦ୍ର ମଧ୍ୟରେ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି । ଏହାସହ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.