ପଶ୍ଚିମବଙ୍ଗରେ ଅମ୍ଫାନ ନେଇଛି ୭୨ ଜୀବନ, ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଦାବି କଲେ ମମତା
21/05/2020 at 4:08 PM

ନୂଆଦିଲ୍ଲୀ, ୨୧|୦୫: ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଏହା ମହାବାତ୍ୟାର ଘଣ୍ଟା ପ୍ରତି ବେଗ ୧୬୦ରୁ ୧୮୦ କିମି ଥିଲା । ଏହି ବାତ୍ୟାରେ କୋଲକାତା ବିମାନବନ୍ଦର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । କୋଲକାତାର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ଏହା କେତେ ମାତ୍ରାରେ କ୍ଷତି ଘଟାଇଛି ସେନେଇ ତଥ୍ୟ ଯୋଗଡ ଚାଲିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିବାନୁସାରେ, ରାଜ୍ୟରେ ପ୍ରାୟ ୭୨ ଜଣ ପ୍ରାଣ ହରାଇଛନ୍ତି । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ଗସ୍ତ କରିବା ପାଇଁ ଦାବି କରିଛନ୍ତି ।
ମମତା କହିଛନ୍ତି ଯେ, ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରନ୍ତୁ । ସେ ମଧ୍ୟ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଏହାସହ ସେ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ମମତାଙ୍କ କହିବାନୁସାରେ, ଏବେ ରାଜ୍ୟର ରାଜସ୍ୱ ଶୂନ୍ୟ ହୋଇଯାଇଛି । ଏହା ସତ୍ୱେ ମଧ୍ୟ ବାତ୍ୟାର ମୁକାବିଲା କରିବାକୁ ହେବ । ରାଜ୍ୟରେ ମୋଟ ବାତ୍ୟା ଯୋଗୁଁ ୭୨ ଜଣ ଜୀବନ ହାରିଛନ୍ତି । ଏହା ମଧ୍ୟରେ କୋଲକାତାରେ ୧୫ଜଣ ଜୀବନ ହାରିଥିବା ବେଳ ହାଓ୍ୱଡାରେ ୭, ହୁଗଲୀରେ ୨ ଓ ଇଷ୍ଟମେଦିନାପୁରରେ ୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଉତ୍ତର ୨୪ ପ୍ରଗଣାରେ ୧୭ ଜଣ ପ୍ରାଣ ହରାଇଥିବା ବେଳେ ଦକ୍ଷିଣ ୨୪ ପ୍ରଗଣାରେ ୧୮ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ମହାବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଏଠାରେ ଘଣ୍ଟା ପ୍ରତି ବେଗ ମଧ୍ୟ ୧୬୦ରୁ ୧୮୦ କିମି ରହିଥିଲା । ରାଜ୍ୟରେ ହଜାର ହଜାର ଘଛ ଭାଙ୍ଗି ଯିବା ସହ ଘର ମଧ୍ୟ ଭାଙ୍ଗିରୁଜି ଯାଇଛି । ଏପରିକି କୋଲକାତା ବିମାନବନ୍ଦରରେ ମଧ୍ୟ ପାଣି ଭରି ଯାଇଛି ।