ଆସିଲା ବାତ୍ୟା ଅମ୍ଫାନର କ୍ଷୟକ୍ଷତି ରିପୋର୍ଟ: ୧୦ ଜିଲ୍ଲାର ୪୪ ଲକ୍ଷ ଲୋକ ପ୍ରଭାବିତ, ଭାଙ୍ଗିଛି ୧୫୫୨ ପ୍ରାଥମିକ ସ୍କୁଲ ଘର

Published By : Prameya-News7 Bureau | May 23, 2020 IST

ଭୁବନେଶ୍ୱର, ୨୩|୦୫: ବାତ୍ୟା ଅମ୍ଫାନ ଗତ ୨୦ ତାରିଖରେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିଥିଲା । ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଓଡିଶାର କିଛି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ଜନିତ କ୍ଷୟକ୍ଷତି ବାବଦରେ ସରକାର ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି ।

ରିପୋର୍ଟ ଅନୁସାରେ, ବାତ୍ୟା ଅମ୍ଫାନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, କଟକ, ଯାଜପୁର, କେଉଁଝର, ଖୋର୍ଧା ଓ ପୁରୀ ଜିଲ୍ଲାରେ ପ୍ରଭାବ ପକାଇଛି ।ଏହା ମଧ୍ୟରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁରରେ ବାତ୍ୟାର ପ୍ରଭାବ ଅଧିକ ରହିଥିଲା ।  ମୋଟ ୯୮୩୩ ଗ୍ରାମର ଓ ୨୨ଟି ସହରର ୨୭୨ଟି ଓ୍ୱାର୍ଡ ହେଉଛି ବାତ୍ୟା ପ୍ରଭାବିତ । ଏଠାରେ ମୋଟ ୪୪,୪୪,୮୯୬ଜଣ ପ୍ରଭାବିତ ହୋଇଛନ୍ତି ।ସେହିପରି ୫୦୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୫ ହଜାରଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଭାବିତ ଅଞ୍ଚଳରେ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି ।୩୪ କି.ମିର ୩୩ କେଭି ବିଦ୍ୟୁତ୍‌ ଲାଇନ୍‌ ମଧ୍ୟ ନଷ୍ଟ ହୋଇଛି । ୪୫୩ କି.ମିର ୧୧ କେଭି ବିଦ୍ୟୁତ୍‌ ଲାଇନ ନଷ୍ଟ ହୋଇଛି । ୬୮୦ କି.ମିର LT ଲାଇନ ନଷ୍ଟ ହୋଇଥିବା ଜଣାପଡିଛି । ୨୪୩୯ଟି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି । ୧୪ଟି ମାଛଧରା ବୋଟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୧ଟି ବୋଟ୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

ଏତତ୍ ବ୍ୟତୀତ କଟକ ଓ ବାଲେଶ୍ୱର ଡିଭିଜନରେ ୪୦୦୦ଟି ଗଛ ଉପୁଡି ପଡିଥିବା ବେଳେ ଅସ୍ତରଙ୍ଗ ରେଞ୍ଜରେ ୨୦୦୦ଟି ଗଛ ଭାଙ୍ଗିଯାଇଛି । ସେହିପରି ପଞ୍ଚାୟତିରାଜ ବିଭାଗର ସୂଚନାନୁସାରେ ୬୪୬ଟି ଅଙ୍ଗନଓ୍ୱାଡି କେନ୍ଦ୍ର, ୧୫୫୨ଟି ପ୍ରାଇମେରୀ ସ୍କୁଲ ବିଲ୍ଡିଂ ଓ ୨୯୮ଟି ଗ୍ରାମ ପଞ୍ଚାୟତ ଓ କମ୍ୟୁନିଟି ହଲ୍ କ୍ଷତିଗ୍ରସ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.