Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଜୋରରେ ଡରାଇଲା, ଘଷି ହୋଇ ପଳାଇଲା : ଚିହ୍ନ ରଖିଲା ‘ଅମ୍ପାନ୍‌’, ୫ମୃତ୍ୟୁ ଅଭିଯୋଗ

21/05/2020 at 8:08 AM

ଭୁବନେଶ୍ୱର ୨୧।୦୫: ଶହେରୁ ୧୨୦ ଭିତରେ ରହିଲା ପବନ । ପ୍ରବଳରୁ ଅତି ପ୍ରବଳ ବର୍ଷା ବି ସୀମିତ ରହିଲା ଉପକୂଳ ଅଞ୍ଚଳରେ । ଘଷି ହୋଇ ପଳାଇଲା ମହାବାତ୍ୟା ଅମ୍ଫାନ୍ । ଡରିଡାରି ବସିଥିଲା ଓଡ଼ିଶା । ଅଳ୍ପକେ ବର୍ତ୍ତିଗଲା ।
ମଙ୍ଗଳବାର ରାତିରୁ ବୁଧବାର ଅପରାହ୍ନ ଯାଏଁ ଓଡ଼ିଶା ଉପକୂଳ ପାଖେ ପାଖେ ରହିଲା । ତା’ ପରେ ପଶିଗଲା ପଶ୍ଚିମବଙ୍ଗରେ । ଓଡ଼ିଶା ପାଖରେ ଯେତିକି ସମୟ ରହିଲା, ସେଥିରେ ବଡ଼ କ୍ଷୟକ୍ଷତି କରିନି । ତଥାପି ହଜାର ହଜାର ଗଛ ଉପାଡ଼ିଛି, ଭାଙ୍ଗିଛି । ୪ ଜିଲ୍ଲାରେ ବହୁ କଚ୍ଚା ଘର ଭାଙ୍ଗିଛି । କେତେକ ସ୍ଥାନରେ ବିଜୁଳି ଖୁଣ୍ଟି ମୋଡ଼ି ଦେଇଛି । ବାତ୍ୟା ପ୍ରକୋପରେ ବିଭିନ୍ନ ସ୍ଥାନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି । ଭୟାନକ ବାତ୍ୟା ଆଜି ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନ ପାଖରେ ଉପକୂଳରେ ମାଡ଼ ହୋଇଛି । ପ୍ରଳୟ ଭିଆଇଛି । ୧୫୫-୧୬୫ କିମି ବେଗରେ ସେଠାରେ ପବନ ମାଡ଼ କରିଛି ।

ବାତ୍ୟା ‘ଅମ୍ଫାନ୍‌’ର ସିଧା ଆକ୍ରମଣରୁ ବର୍ତ୍ତିଯାଇଛି ଓଡ଼ିଶା । ଯଦି ଟିକିଏ ଏହା ଦିଗ ବୁଲାଇଥାନ୍ତା, ସମ୍ଭବତଃ ଏହା ଓଡ଼ିଶା ଉପକୂଳରେ ମାଡ଼ ହୋଇଥାନ୍ତା କିମ୍ବା ଅଧିକ ପାଖକୁ ଆସି ବ୍ୟାପକ କ୍ଷତି କରିଥାନ୍ତା । କେତେକ ପାଣିପାଗ ସଂସ୍ଥା ଏଭଳି ଆକଳନ ମଧ୍ୟ କରିଥିଲେ ।

ବାତ୍ୟା ଓଡ଼ିଶାର ୪ ଉପକୂଳ ଜିଲ୍ଲାକୁ କ୍ଷତାକ୍ତ କରିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର । ଦୀଘା ପାଖରେ ଥିବା ଭୋଗରାଇ, ବାଲିଆପାଳରେ ଶହଶହ ଗଛ ଉପୁଡ଼ି ପଡ଼ିଛି । ଦ୍ରୁତଗତିରେ ଗଛ କାଟି ରାସ୍ତା ସଫା ଚାଲିଛି । ବହୁ ଜାଗାରେ କଚ୍ଚା, ଚାଳ ଛପର ଘର ଉଜୁଡ଼ିଯାଇଛି । ବାତ୍ୟା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ମୁତାବକ, ମୃତ ମହିଳା ଜଣକ ହେଲେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ସ୍ୱର୍ଗତ ମଙ୍ଗଲ ସିଂଙ୍କ ସ୍ତ୍ରୀ ସୁମିତ୍ରା ସିଂ(୫୫) । ରେମୁଣା ଗୋଲେଇ ନିକଟରେ ଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ଖାଇବାକୁ ଯାଉଥିବାବେଳେ ତାଙ୍କୁ ପବନ ଉଡ଼ାଇ ନେଇ ପାଖ ଡ୍ରେନ୍‌ରେ କଚାଡ଼ି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ମାଡ଼ ଯୋଗୁ ୬ଜଣ ଆହତ ହେଇଛନ୍ତି । ଆହତଙ୍କ ମଧ୍ୟରୁ ସୋର ବ୍ଲକରୁ ୩ଜଣ, ବାଲିଆପାଳ ବ୍ଲକରୁ ୨ଜଣ ଓ ଭୋଗରାଇ ବ୍ଲକରୁ ଜଣେ ରହିଥିବା ଜଣାପଡ଼ିଛି । ୫୦ରୁ ଊଦ୍ଧ୍ୱର୍ ଗୃହପାଳିତ ପଶୁ ବାତ୍ୟା ଯୋଗୁ ମରିଥିବା ଅଭିଯୋଗ ହୋଇଛି ।

ଭଦ୍ରକରେ ଗମ୍ଭୀର ପ୍ରଭାବ ପକାଇଛି ଅମ୍ଫାନ୍‌ । ଉପକୂଳରେ ଘଷି ହୋଇଯିବାବେଳେ ଶହଶହ ଗଛ ଭାଙ୍ଗିଛି । ବହୁ କଚ୍ଚା ଘର ନଷ୍ଟ ହୋଇଛି । ବିଜୁଳି ଓ ଇଣ୍ଟରନେଟ୍‌ ସେବା ବ୍ୟାଘାତ ହୋଇଛି । ତିହିଡି ବ୍ଲକର ତାଁପଡ଼ା ଗାଁରେ କାନ୍ଥ ପଡ଼ିବାରୁ ଜଣେ ୩ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ାରେ ପବନ ମାଡ଼ରେ ବହୁ ଗଛ ମୋଡ଼ି ମକଚି ହୋଇ ଭାଙ୍ଗିଯାଇଛି ।

ମହାକାଳପଡ଼ା, ରାଜନଗରରେ ସର୍ବାଧିକ ପ୍ରଭାବ ପଡ଼ିଛି । ଅନେକ ରାସ୍ତାରେ ଗଛ ପଡ଼ିଥିବାରୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ସଫେଇରେ ଲାଗିଛି । ଅନେକ ଚାଳ ଛପର, କଚ୍ଚା ଘର ଉଜୁଡ଼ିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା କୁହାଯାଉଛି । ଜିଲ୍ଲାରେ ବାତ୍ୟା ଯୋଗୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଜନଗର ସାତଭାୟା ପଞ୍ଚାୟତର ବଗପାଟିଆ ଗାଁରେ ଜଣେ ୭୦ ବର୍ଷିୟା ବୃଦ୍ଧା କୋଇଲି ବେହେରାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବାବେଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାତ୍ୟା ସମୟରେ ମହାକାଳପଡ଼ା ବତୀଘର ପଞ୍ଚାୟତରେ ଜଣେ ମହିଳା ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ଆସିଛି ।

ଜଗତସିଂହପୁରରେ ମଧ୍ୟ ଦୀର୍ଘ ସମୟ ଧରି କୋପ ଦେଖାଇଛି ‘ଅମ୍ଫାନ୍‌’ । ପାରାଦୀପ, ଏରସମା ଅଞ୍ଚଳରେ ବହୁ ସଂଖ୍ୟାରେ ଗଛ ଭାଙ୍ଗିଯାଇଛି । କେତେକ ଜାଗାରେ ବିଜୁଳି ଖୁଣ୍ଟ, ଟେଲିଫୋନ ଖୁଣ୍ଟ ମାଟିରେ ଗଡ଼ୁଛି । ପାରାଦୀପ ନେହରୁ ବଙ୍ଗଳା, କୁମ୍ଭୀର ପାର୍କ, ଏଡିଏମ୍‌ ଅଫିସ ରାସ୍ତା, ଏରସମାରେ ଗଛ ଭାଙ୍ଗି ରାସ୍ତା ବନ୍ଦ ହୋଇଯାଇଥିଲା । ପରେ ଏହାକୁ ସଫା କରାଯାଇଛି । ତିର୍ତ୍ତୋଲ ବ୍ଲକର ମାଣତୀର ଗାଁରେ କାନ୍ଥରେ ମାଡ଼ ହେବାରୁ ସିନ୍ଧୁ ସାମଲ (୭୫)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବ୍ୟାପକ ଗଛ ଭାଙ୍ଗି ପଡ଼ିଥିବାବେଳେ କେତେକ ଜାଗାରେ ଗଛ ପଡ଼ି ଘର ଭାଙ୍ଗିଛି । ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ୱର, ଯାଜପୁରରେ ବିଶେଷ କ୍ଷୟକ୍ଷତି ହୋଇନି । ପବନ ଯୋଗୁ ଅନେକ ଗଛ ଭାଙ୍ଗି ଚାଳ ଛପର ଘର ନଷ୍ଟ ହୋଇଛି । ‘ଅମ୍ଫାନ୍‌’ ବାତ୍ୟା ନେଇ ଗତ କିଛି ଦିନରୁ ଆଶଙ୍କାରେ ଥିଲା ଓଡ଼ିଶା । ଗତବର୍ଷର ଫୋନି ଭଳି ଏବର୍ଷ ଖରାଦିନେ ରାଜ୍ୟରେ ପୁଣି ଏକ ବଡ଼ଧରଣର ବାତ୍ୟା ମାଡ଼ ହେବା ନେଇ ଡର ରହିଥିଲା ଉପକୂଳବାସୀଙ୍କ ମନରେ । ହେଲେ ଏ ବାତ୍ୟା ସେ ବାତ୍ୟା ଭଳି ପ୍ରଳୟଙ୍କରୀ ରୂପ ଦେଖାଇନି ଓଡ଼ିଶାରେ ।

ଉତ୍ତର ବାଲେଶ୍ୱର ଅତିକ୍ରମ କରିବାବେଳକୁ ବାତ୍ୟା ଉପକୂଳରୁ ପ୍ରାୟ ୧୨୦ କିମି ଦୂରରେ ରହିଥିଲା । କେନ୍ଦ୍ରାପଡ଼ାର ଜମ୍ବୁଠାରୁ ୧୪୦ କିମି ଓ ପାରାଦୀପରୁ ୧୫୦ କିମି ଦୂରରେ ବାତ୍ୟା ସମୁଦ୍ର ଭିତରେ ଯାଇଛି । ଓଡ଼ିଶା ଉପକୂଳରେ ୧୦୦ରୁ ୧୨୦ କିମି ପବନ ବହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବ୍ୟାପକ ଆଗୁଆ ପ୍ରସ୍ତୁତି ଯୋଗୁ ଓଡ଼ିଶା ଏହାର ସଫଳ ମୁକାବିଲା କରିପାରିଛି । ବୁଧବାର ଭୋର୍‌ରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ବଢ଼ିଲା । ପ୍ରଥମେ ପୁରୀରେ ଚାଲିଲା ପବନ ମାଡ଼ । ୪୦-୫୫ କିମି ବେଗରେ ପବନ ବହୁଥିଲା ।

ସକାଳ ସାଢ଼େ ୫ଟାବେଳେ ପାରାଦୀପ ଉପକୂଳରେ ପବନ ମାଡ଼ ହେଲା ୯୬ କିମି ବେଗରେ । ସାଢ଼େ ୬ବେଳକୁ ପବନ ୧୦୬ କିମି ବେଗରେ ଚାଲିଥିଲା । ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାରାଦୀପରେ ବର୍ଷା, ପବନ କମିନଥିଲା । ସକାଳ ୭ଟାରୁ ୧୦ଟା ସ୍ଥିତି ବେଶି ବିପଦଜନକ ଥିଲା । ଏହି ସମୟରେ ପବନ ୧୧୦-୧୨୦ କିମି ଛୁଇଁଥିଲା । ପାରାଦୀପରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ସାଢ଼େ ୮ଟା ସୁଦ୍ଧା ୨୧୪.୧ ମିଲିମିଟର ବର୍ଷା ହୋଇଥିଲା । ସକାଳ ସାଢ଼େ ୮ଟାରୁ ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ୮୮.୯ ମିମି ବର୍ଷା ହୋଇଛି । ଅର୍ଥାତ୍‌ ଗତକାଲି ରାତିରୁ ଆଜି ସନ୍ଧ୍ୟା ସୁଦ୍ଧା ପାରାଦୀପରେ ୩୦୩ ମିମି ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରାଦୀପ ତୁଳନାରେ ପବନ ପ୍ରକୋପ କମ୍‌ ଥିଲା । ଏହା ପରେ ବାତ୍ୟା ପ୍ରକୋପ ଦେଖାଇଥିଲା କେନ୍ଦ୍ରାପଡ଼ାରେ । ମହାକାଳପଡ଼ା, ରାଜକନିକାରେ ୧୦୦ରୁ ୧୨୦ କିମି ବେଗରେ ପବନ ମାଡ଼ ହୋଇଥିଲା । କେନ୍ଦ୍ରାପଡ଼ା ସହରରେ ୫୦-୭୦ କିମି ବେଗରେ ପବନ ଚାଲିଥିଲା । ବହୁ ଜାଗାରେ ଗଛ ପଡ଼ି ବିଜୁଳି ସେବା ବିଚ୍ଛିନ୍ନ ହୋଇଥିବାବେଳେ ଚାଳ ଛପର ଘର ଭାଙ୍ଗିଛି ।

ଭଦ୍ରକରେ ପବନ ପ୍ରକୋପ ବେଶ୍‌ ଭୟଙ୍କର ଥିଲା କିଛି ଘଣ୍ଟା ପାଇଁ । ମଙ୍ଗଳବାର ରାତିରୁ ବର୍ଷା, ପବନ ଆରମ୍ଭ ହୋଇଥିଲା । ସକାଳୁ ବଢ଼ିଥିଲା ଦିନ ୧୧ଟା ଯାଏଁ । ତା’ ପରେ ସାମାନ୍ୟ କମିଥିଲା । ପୁଣି ଅପରାହ୍ନ ୨ଟାରୁ ବର୍ଷା, ପବନ ବଢ଼ିଥିଲା । ଅପରାହ୍ନ ୪ଟା ପର୍ଯ୍ୟନ୍ତ ବର୍ଷା ଓ ପବନ ପ୍ରକୋପ ସର୍ବାଧିକ ରହିଥିଲା । ଧାମରାରେ ପବନ ବେଗ ୧୧୭ କିମି ଛୁଇଁଥିଲା ।

ପଶ୍ଚିମବଙ୍ଗରେ ମାଡ଼ ହେବା ଆଗରୁ ବାଲେଶ୍ୱରରେ କୋପ ଦେଖାଇଥିଲା ଅମ୍ଫାନ୍‌ । ଭୋଗରାଇରେ ୧୦୦ରୁ ୧୨୦ କିମି ବେଗରେ ପବନ ମାଡ଼ କରିଥିଲା । ବାଲିଆପାଳରେ ବି ବର୍ଷା ଓ ପବନ ପ୍ରକୋପ ଅଧିକ ରହିଥିଲା । ବାଲେଶ୍ୱର ସଦର ଓ ସହରରେ ୯୦ କିମିରୁ ଅଧିକ ବେଗରେ ପବନ ହୋଇଥିଲା । ବାଲେଶ୍ୱର ତୁଳନାରେ ମୟୂରଭଞ୍ଜରେ ପବନ କମ୍‌ ଥିଲା । ତଥାପି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । ବାରିପଦା ସହରର ବେଲଗଡ଼ିଆ, ଜେଲରୋଡ୍‌, ପାଲବଣୀ ଜେଲ୍‌ ରୋଡ୍‌, ବାରୁଣୀ ରୋଡ୍‌, ସହିଦପଡ଼ିଆରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ପାଲବଣୀ ଗୋଲେଇ ନିକଟ ଦେବେନ୍ଦ୍ରପୁର ଏବଂ ବେଲଗଡ଼ିଆରେ ଗଛ ପଡ଼ି ଘର ଭାଙ୍ଗିଛି।

ଗତକାଲିଠାରୁ ବୁଧବାର ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ୧୧୯.୩ ମିମି, ଚାନ୍ଦବାଲିରେ ୧୧୨.୨ ମିମି, ପୁରୀରେ ୧୦୫, କେନ୍ଦୁଝରରେ ୫୫ ମିମିରୁ ଅଧିକ, ଭୁବନେଶ୍ୱରରେ ୮୬.୨ ମିମି ବର୍ଷା ହୋଇଛି । ଏହାବାଦ୍‌ କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକରେ ମଧ୍ୟ ପ୍ରକୋପ ପକାଇଛି ବାତ୍ୟା । ଭୁବନେଶ୍ୱରରେ ୫୬ କିମି ପର୍ଯ୍ୟନ୍ତ ପବନ ବହିଥିବାବେଳେ ପୁରୀରେ ୪୦ରୁ ୫୫ କିମି ପବନ ବହିଥିଲା । ଖୋର୍ଦ୍ଧାରେ ୬୦ କିମିରୁ ଅଧିକ ପବନ ବହିଥିବାବେଳେ କଟକରେ ମଧ୍ୟ ୫୦ କିମିରୁ ଅଧିକ ପବନ ପ୍ରବାହିତ ହୋଇଥିବା ଜଣାପଡ଼ିଛି ।

   Related Posts