ବାତ୍ୟା ରୂପ ନେଲା ଆମ୍ଫାନ: ୧୨ ଘଣ୍ଟାରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ୍, ଏବେ ପାରାଦ୍ୱୀପଠୁ ୧୦୩୦ କିମି ଦୂରରେ

Published By : Prameya-News7 Bureau | May 16, 2020 IST

ଭୁବନେଶ୍ୱର, ୧୬|୦୫: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି । ଅବପାତରୁ ଏହା ବାତ୍ୟାର ରୂପ ନେଇଛି । ତେବେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନ୍ୟୁଜ୭କୁ କହିଛନ୍ତି । ଆଇଏମଡି ସୂଚନାନୁଯାୟୀ, ରାତି ୯ଟା ୧୫ ମିନିଟ ସୁଦ୍ଧା ଆମ୍ଫାନ୍ ପାରଦ୍ୱୀପର ଦକ୍ଷିଣରେ ୧୦୩୦ କିମି ଦୂରରେ ଥିବା ବେଳେ ଦୀଘାଠାରୁ ୧୨୦୦ କିମି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଚା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ । ୧୮ ତାରିଖ ସୁଦ୍ଧା ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ୧୭ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଏହା ଗତି କରିବାର ସମ୍ଭାବନା ରହିଛି । ତାହା ପରେ ଏହା ରିକର୍ଭ ବା ଗତି ପରିବର୍ତ୍ତନ କରି ଉତ୍ତର ତଥା ଉତ୍ତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ଓଡିଶା ଉପକୂଳ ଆଡକୁ ଗତି କରିବ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବାତ୍ୟାର ଗତି ଏହି ପରି ରହିବ ।

 ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଅନୁଯାୟୀ, ଶନିବାର ରାତିସୁଦ୍ଧା ଏହି ଅବପାତ ତୀବ୍ରଗତିରେ ଘୁର୍ଣ୍ଣିଝଡର ରୂପ ନେବ । ମେ ୧୭ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ତେବେ ମେ ୨୦ ତାରିଖରେ ଏହା   ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ  ଏହି ଘୁର୍ଣ୍ଣିଝଡ଼ର ଗତିପଥ ଉତ୍ତର -ଉତ୍ତର ପୂର୍ବ ଦିଗକୁ ରହିବ ବୋଲି ସିଇସିର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଡ଼ଃ ସାହୁ କହିଛନ୍ତି ଏହା ମେ ୧୯ ତାରିଖ ପର୍ଯ୍ୟନ୍ତ ପୂର୍ବ ଉପକୂଳ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁଁହାଇ ଥିବା ବେଳେ ଓଡିଶା ଉପକୂଳର ନିକଟବର୍ତ୍ତି ହେବା ସହ ୧୯ ରାତିରେ ପୁରୀ ଓ ବାଲେଶ୍ୱର ମଧ୍ୟରେ ଏହାର ପ୍ରଭାବ ଦେଖାଯିବ । ଏହି ବାତ୍ୟା ଉତ୍ତର ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ବୋଲି ମଧ୍ୟ ଆକଳନ କରିଛି ସିଇସି।

ତେବେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରକୃତ ରୂପରେଖ ରବିବାର ସକାଳେ ଜଣାପଡିବ ବୋଲି ଡ଼ଃ ସାହୁ କହିଛନ୍ତି  ଯଦି ଏହି ବାତ୍ୟା ଓଡିଶା ଉପକୂଳ ନିକଟବର୍ତ୍ତି ହୋଇ ଗତି କରେ ତେବେ ମେ ୧୯ ତାରିଖ ରାତି ଏବଂ ୨୦ ତାରିଖ ସକାଳେ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିବ ମାତ୍ର ଯଦି ଏହା ଓଡିଶା ଉପକୂଳ ଛୁଇଁବ ତେବେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୦ ରହିପାରେ ବୋଲି ସିଇସି ଆକଳନ କରିଛି। ଏହା ଅତି ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ମଧ୍ୟ କହିଛନ୍ତି ଡ଼ଃ ସାହୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.