ଭୟଙ୍କର ସେକ୍ସ୍ ରାକେଟ୍ : ଭିଡିଓ କଲରେ ପର୍ଣ୍ଣ୍ ଭିଡିଓ ଚଲାଇ କରୁଥିଲେ ମୋର୍ଫ ଭିଡିଓ, ବ୍ଲାକମେଲ୍ କରି ନେଉଥିଲେ ମୋଟା ଅଙ୍କର ଟଙ୍କା

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭/୦୧ : ମୋର୍ଫ ଭିଡିଓ କରି ବ୍ଲାକମେଲ୍ କରୁଥିବା ଅଭିଯୋଗ​‌ରେ ୬ ଜଣ ବଦମାସଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସାଇବର ସେଲ । ଏହି ହାଇ ପ୍ରୋଫାଇଲ କାମରେ ଅଭିଯୁକ୍ତମାନେ ଦୀର୍ଘଦିନ ହେବ ଲିପ୍ତ ଥିବା ସାଇବର ସେଲ କହିଛି । ଏହା ସହ ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

ମୋର୍ଫ ଭିଡିଓ କରୁଥିଲେ କିପରି ?

ପ୍ରଥମେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି ଲୋକମାନଙ୍କୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ପଠାଉଥିଲେ । ଯେଉଁମାନେ  ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ଗ୍ରହଣ କରୁଥିଲେ ସେମାନେ ଚାଟିଂ ଆରମ୍ଭ କରିଦେଉଥିଲେ ଏବଂ କିଛି ଦିନ ପରେ ଭିଡିଓ କଲ କରୁଥିଲେ । କଥାବାର୍ତ୍ତା ହେବା ବେଳେ ପୂରା କଲକୁ ଅଭିଯୁକ୍ତମାନେ ରେକର୍ଡ କରିନେଉଥିଲେ । କଲ ସମୟରେ ଅନ୍ୟ ଏକ ଫୋନରେ ପର୍ଣ୍ଣ୍ ଭିଡିଓ ଲଗାଇଦେଉଥି​‌ଲେ । ପରେ ସେହି ଭିଡିଓକୁ ମୋର୍ଫ କରିଦେଉଥିଲେ । ଯାହାଫଳରେ ଏପରି ଲାଗୁଥିଲା ଯେ, ଭିଡିଓ କଲ କରୁଥିବା ଲୋକ କିଛି ଅଶ୍ଳୀଳ କାମ କରୁଛି ।

ବାରମ୍ବାର ଦେଉଥିଲେ ଧମକ

ଏହି ଭିଡିଓ ଦେଖାଇ ଅଭିଯୁକ୍ତମାନେ ଲୋକମାନଙ୍କୁ ବ୍ଲାକମେଲ୍ କରୁଥିଲେ । କଲ କରି କହୁଥିଲେ, ଟଙ୍କା ଦିଅ ନଚେତ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବୁ । ଯଦି ଟଙ୍କା ଦେବାକୁ କେହି ରାଜି ହୋଇଯାଉଥିଲା, ଅଭିଯୁକ୍ତମାଦେ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ।

କିପରି କାବୁ କରିଥିଲା ପୋଲିସ

ଦିଲ୍ଲୀ ସାଇବର ସେଲ ଡିସିପି ଅନ୍ବେଶ ରାୟ କହିଛନ୍ତି, କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ସାଇବର ସେଲରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ କହିଥିଲେ ଯେ, ‘କିଛି ଲୋକ ମୋତେ ବ୍ଲାକମେଲ କରୁଛନ୍ତି ଏବଂ କହୁଛନ୍ତି ତାଙ୍କ ପାଖରେ ଯେଉଁ ଭିଡିଓ କଲ ରେକର୍ଡ ଅଛି ଯେଉଁଥିରେ କି ମୁଁ ଅଶ୍ଳୀଳ କାମ କରୁଛି’ । ତାହାକୁ ଭାଇରାଲ କରିଦେବାକୁ ଧମକ ଦେଉଛନ୍ତି । କିନ୍ତୁ ସେପରି କିଛି କରି ନଥିବା ଉକ୍ତ ବ୍ୟକ୍ତିଜଣକ ପୋଲିସକୁ କହିଥିଲେ ।

ପୋଲିସ ଟେକନିକାଲ ସର୍ଭିଲେନ୍ସ ଆଧାରରେ ଭରତପୁରରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରଇସ୍‌, ଓ୍ବାହିଦ, ଆକ୍ରମ, ମୁଫୀଦ, ଅନମ ଏବଂ ଓ୍ବାରିସ୍‌ । ସେମାନଙ୍କ ନିକଟରୁ ୧୭ଟି ମୋବାଇଲ ଫୋନ ଜବତ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.