ସାବଧାନ ! ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ଏବେ ଚାଷୀ, ବ୍ୟାଙ୍କ ଆକାଉଣ୍ଟ୍‌ରୁ ଗାଏବ୍‌ ହୋଇଯାଉଛି ଟଙ୍କା

Published By : Prameya-News7 Bureau | March 05, 2021 IST

ମୁଜାଫର୍‌ପୁର, ୦୫/୦୩: ବିହାରର ମୁଜାଫର୍‌ପୁରରେ କୃଷକଙ୍କ ବ୍ୟାଙ୍କ ଖାତା ଉପରେ ସାଇବର ଅପରାଧୀ ଏବେ ନଜର ପକାଇଛନ୍ତି । ଖାତାରୁ ଟଙ୍କା ଠକି ନେବା ପାଇଁ ଅପରାଧୀମାନେ ବିଭିନ୍ନ ପ୍ରକାରର ବାହାନା କରି ସେମାନଙ୍କ ବ୍ୟଙ୍କ ଆକାଉଣ୍ଟର ନମ୍ୱର ବା ଏଟିଏମ୍‌ ନମ୍ୱର ନେଇ ଟଙ୍କା ଲୁଟି ନେଉଛନ୍ତି । କିଛି କୃଷକଙ୍କ ଖାତାରୁ ଏପରି ଟଙ୍କା କଟିଯାଇଥିବା ସୂଚନା ମିଳିଛି ।  

ସରକାରଙ୍କର କିଛି ଯୋଜନା ଦ୍ୱାରା କୃଷକଙ୍କ ଖାତାକୁ ଟଙ୍କା ପଠାଯାଉଛି । ଯାହାର ଫାଇଦା ସାଇବର ଅପରାଧୀମାନେ ସିଧାସଳଖ କୃଷକଙ୍କଠାରୁ ଉଠାଉଛନ୍ତି । ପ୍ରଥମେ ଅପରାଧୀ କୃଷକଙ୍କୁ କଲ୍‌ କରି ସେ କୃଷି ଅଫିସ୍‌ରୁ ଫୋନ୍‌ କରୁଥିବା କହୁଛନ୍ତି । ଏହାପରେ ସରକାରଙ୍କ ଯୋଜନା ବାବଦରେ କିଛି ନିର୍ଦ୍ଧିଷ୍ଟ ଅର୍ଥ ଆପଣଙ୍କ ଆକାଉଣ୍ଟକୁ ପଠାଇବା ପାଇଁ କହୁଛନ୍ତି । ହେଲେ ଆପଣଙ୍କୁ ଭକୁଆ ବନାଇବା ପାଇଁ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଆଧାର ଲିଙ୍କ୍‌ ନଥିବା କହି ଆପଣଙ୍କ ଆକାଉଣ୍ଟ ଡିଟେଲ୍‌ସ ନେବା ସହିତ ଆପଣଙ୍କ ଏଟିଏମ୍‌ର ୧୬ ଟିକିଆ ନମ୍ୱର ମାଗୁଛନ୍ତି ।

ସମସ୍ତ ତଥ୍ୟ ଦେଇସାରିବା ପରେ ଆପଣଙ୍କ ଆକାଉଣ୍ଟ୍‌କୁ କିଛି ସମୟପରେ ଟଙ୍କା ପଠାଇଦିଆଯିବ ବୋଲି ସେ କହିଥାନ୍ତି । କିନ୍ତୁ ଟଙ୍କା ଆସିବା ବଦଳରେ ଆପଣଙ୍କ ଆକାଉଣ୍ଟକୁ ସେମାନେ ଖାଲି କରିଦେଇଥାନ୍ତି । ତେଣୁ ଏଥିପାଇଁ ସାବଧାନ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.