କ୍ୟାସବ୍ୟାକ୍‌ ବଦଳରେ କ୍ୟାସ୍‌ଲେସ୍‌ : ଆକାଉଣ୍ଟରୁ ୧୦ ହଜାର ଟଙ୍କା ଗାଏବ

Published By : Prameya-News7 Bureau | June 08, 2020 IST

କଟକ ୦୮।୦୬: ‘ଆପଣ ବ୍ୟବହାର କରୁଥିବା ମୋବାଇଲ୍‌ ଆପ୍‌ସ୍‌ରେ କ୍ୟାସ୍‌ବ୍ୟାକ୍‌ ଆସିଛି । ପୂର୍ବରୁ ଯେଉଁ ଅନ୍‌ଲାଇନ୍‌ କାରବାର କରିଥିଲେ ସେଥିପାଇଁ ଏହି କ୍ୟାସ୍‌ବ୍ୟାକ୍‌ ଆସିଛି’ ।-ଏଭଳି କିଛି କଥା କହି ଜଣେ ବ୍ୟକ୍ତିଙ୍କ ପାଖକୁ ଏକ ଅଜଣା ନମ୍ବରୁ ଫୋନ୍‌ ଆସିଥିଲା । ଆଉ ଉକ୍ତ ବ୍ୟକ୍ତି ଜଣକ କ୍ୟାସ୍‌ ବ୍ୟାକ୍‌ ପାଇବା ଆଶାରେ ମୋବାଇଲ୍‌କୁ ଆସିଥିବା ଏକ ଲିଙ୍କ୍‌କୁ ଖୋଲିଦେବା ପରେ ସେ ୧୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌ ପାଇବେ କ’ଣ ଓଲଟା ତାଙ୍କର ୧୦ ହଜାର ଟଙ୍କା କଟିଯାଇଛି । ଦରଘାବଜାର ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି।

ଦରଘାବଜାର ଥାନା ଅନ୍ତର୍ଗତ ଏକ ମସ୍‌ଜିଦରେ ଅବ୍‌ଦୁଲ ଅହମ୍ମଦ କାମ କରନ୍ତି । ଗଲା ୪ ଦିନ ତଳର ଘଟଣା । ଅହମ୍ମଦଙ୍କ ଫୋନ୍‌କୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଏକ ମୋବାଇଲ୍‌ ଆପ୍ସ୍‌ ସଂସ୍ଥାର କର୍ମଚାରୀ ବୋଲି କହିଥିଲା । ଟଙ୍କା ଦେଣନେଣ କରୁଥିବା ଉକ୍ତ ଆପ୍ସ ପକ୍ଷରୁ ସେ ଫୋନ୍‌ କରୁଥିବା କହିଥିଲେ । ପୂର୍ବରୁ ଯେଉଁ ଅନ୍‌ଲାଇନ୍‌ କାରବାର ହୋଇଛି ତା’ ବଦଳରେ ଆପ୍ସ ପକ୍ଷରୁ ୧୦ ଟଙ୍କାର ଏକ କ୍ୟାସ୍‌ ବ୍ୟାକ୍‌ ପ୍ରଦାନ କରାଯାଉଛି ।

ଏହି କ୍ୟାସ୍‌ବ୍ୟାକ୍‌ ପାଇବାକୁ ହେଲେ ଫୋନ୍‌କୁ ପଠାଯାଇଥିବା ଲିଙ୍କ୍‌କୁ ଖୋଲିବାକୁ ପଡ଼ିବ ବୋଲି ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲା । ଏହା ଶୁଣିବା ପରେ ପ୍ରଥମେ ଅବ୍‌ଦୁଲ୍‌ ମାତ୍ର ୧୦ ଟଙ୍କା ପାଇଁ ଲିଙ୍କ୍‌ ଖୋଲିବାକୁ ରାଜି ହୋଇନଥିଲେ। ମାତ୍ର ପରେ ଉକ୍ତ ଲିଙ୍କ୍‌କୁ ଖୋଲି ଦେଇଥିଲେ । ଆଉ ଏହି ଲିଙ୍କ୍‌ ଖୋଲିବା ପରେ ସବୁ ଓଲଟପାଲଟ ହୋଇଯାଇଥିଲା। ୧୦ ଟଙ୍କା କ୍ୟାସ୍‌ ବ୍ୟାକ୍‌ ପାଇବେ କ’ଣ ଓଲଟା ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୧୦ ହଜାର ଟଙ୍କା କଟିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.