ତ୍ରୀପୁରୁ ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକଙ୍କୁ ୭ ବର୍ଷ ଜେଲଦଣ୍ତ
27/11/2018 at 4:51 PM

କଟକ ୨୭/୧୧ : ବାସପୋଯୋଗୀ ଜମି ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କା ହଡପ୍ କରିଥିବା ଚିଟଫଣ୍ଡ ସଂସ୍ଥାକୁ ଝଟକା | ତ୍ରୀପୁରୁ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ ଲିମିଟେଡ୍ ନାମକ ସଂସ୍ଥାର ଏମ୍ ଡି ଙ୍କୁ ଆଜି ୭ ବର୍ଷଲାଗି ସଜ୍ଜା ହୋଇଛି | ତା ସହିତ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକଙ୍କୁ ୭ ବର୍ଷ ପାଇଁ ଜେଲଦଣ୍ତ ଭୋଗିବାକୁ ପଡିବ ବୋଲି ଆଜି ଦଣ୍ତାଦେଶ ଶୁଣାଇଛନ୍ତି ସିଜେଏମ କଟକ | ବିଭିନ୍ନ ସ୍କିମର ପ୍ରଲୋଭନ ଦେଖାଇ ଏହି ସଂସ୍ଥା ୨୦୧୪ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କ ଠାରୁ ପର୍ଯ୍ୟାପ୍ତ ଅର୍ଥରାଶି ଠକିନେଇଥିବାର ଅଭିଯୋଗ ହୋଇଥିଲା, ଏନେଇ ଏକାଧିକ ଏତଲା ହେବାପରେ ୨୦୧୫ ମସିହା ଜାନୁୟାରୀ ମାସରେ ତ୍ରୀପୁରୁ ଏଣ୍ଟରପ୍ରାଇଜର୍ସ ଏମ୍ ଡି ଶିବଦତ୍ତ ନାୟକ ଏବଂ ନିର୍ଦ୍ଦେଶକ ଆନନ୍ଦ ସାହୁଙ୍କୁ ଗିରଫ କରିଥିଲା ପୁଲିସ | ତେବେ ଉଭୟଙ୍କୁ ଅଢେଇ ଲକ୍ଷ ଲେଖାଁ ଜରିମନା ଦେବାକୁ ପଡିବ ବୋଲି ଆଜି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି | ଉକ୍ତ ଜରିମନା ଅର୍ଥରୁ ୪ ଲକ୍ଷ ଟଙ୍କା ଏତଲାକାରିଙ୍କୁ ପ୍ରଦାନ କରାଯିବ ବୋଲି ଆଜି ନିର୍ଦ୍ଦେଶ ଦେଇଛନ୍ତି ଚିଫ୍ ଜୁଡିସିଆଲ ମ୍ୟାଜିଷ୍ଟ୍ରେଟ କଟକ |