ବାଲେଶ୍ବରରୁ ଅପହରଣ, କଟକରେ ଦୁଷ୍କର୍ମ: ରାସ୍ତାରେ ଦୌଡ଼ୁଥିବା ପୀଡ଼ିତାକୁ ଉଦ୍ଧାର କଲା ପୋଲିସ୍
3/03/2020 at 3:24 PM

କଟକ୩/୩: ରାତି ପ୍ରାୟ ୧୨ଟା ହେବ। ଅସହାୟ ଅବସ୍ଥାରେ ଜଣେ ଯୁବତୀ ଶୂନଶାନ ରାସ୍ତାରେ ଦୌଡ଼ୁଥାନ୍ତି। ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର ମଧ୍ୟ କରୁଥାଆନ୍ତି। ସେହି ରାସ୍ତା ଦେଇ ଯାଉଥିବା ଏକ ପିସିଆର ଭ୍ୟାନ୍ ଯୁବତୀଙ୍କୁ ଉଦ୍ଧାର କଲା। ଉଦ୍ଧାର ଯୁବତୀ ପୋଲିସ୍କୁ ଯେଉଁ ବୟାନ ଦେଲେ ତାହା ଶୁଣି ତାଜୁବ ହୋଇଗଲା ପୁଲିସ ଅଧିକାରୀ। ଯୁବତୀ କହିଲେ ତାଙ୍କୁ ବାଲେଶ୍ବରରୁ ଅପହରଣ କରି କଟକରେ ଏକ ପରିତ୍ୟକ୍ତ ଘରେ ତାଙ୍କ ସହ ଦୁଷ୍କର୍ମ ହୋଇଛି। ବହୁ କଷ୍ଟରେ ସେ ଖସି ଆସିଛନ୍ତି। ଏ କଥା ମହିଳା ଥାନା ପୋଲିସ୍ ଜାଣିବା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇ ଦେଇଛି। କଟକ ମାତାମଠରେ ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି।
ସୂଚନାଯୋଗ୍ୟ ଯେ ଗତ ୨୯ ତାରିଖ ରାତି ପ୍ରାୟ ୧୨ଟାରେ ଯୁବତୀ ମାତାମଠ ଅଞ୍ଚଳରେ ରାସ୍ତାରେ ଅସହାୟ ଅବସ୍ଥାରେ ଦୌଡ଼ୁଥିବା ବେଳେ ମଙ୍ଗଳବାଗ ପିସିଆର ଭ୍ୟାନ୍ ହାବୁଡ଼ରେ ପଡ଼ିଥିଲା। ପିସିଆର କର୍ମଚାରୀ ତାଙ୍କୁ ଉଦ୍ଧାର କରି ଥାନା ଆଣିଥିଲେ। ଯୁବତୀ କହିଥିଲେ ତାଙ୍କ ଘର ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ଅଞ୍ଚଳରେ। ତାଙ୍କୁ ସେଦିନ ସକାଳେ ଜଣେ ଯୁବକ ରାସ୍ତାରୁ ଅପହରଣ କରି କଟକ ନେଇ ଆସିଥିଲେ।
କଟକରେ ଏକ ପରିତ୍ୟକ୍ତ ଘରେ ରଖି ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ରାତି ୧୧ଟା ବେଳେ ଯୁବକ ବାହାରକୁ ଯିବାରୁ ସୁଯୋଗ ଉଣ୍ଡି ଯୁବତୀ ସେହି ସ୍ଥାନରୁ ଖସି ପଳି ଆସିଥିଲା। ମଙ୍ଗଳାବାଗ ପୋଲିସ୍ ଯୁବତୀଙ୍କୁ ମହିଳା ଥାନାରେ ହସ୍ତାନ୍ତର କରିଥିଲା। ମହିଳା ଥାନା ପୋଲିସ୍ ଯୁବତୀ ମାଆଙ୍କୁ ଥାନାକୁ ଡ଼କାଇବା ପରେ ଅପହରଣ ଓ ଦୁଷ୍କର୍ମ ମାମଲା ପୋଲିସ୍ ରୁଜୁ କରିଥିଲା। ଅଭିଯୁକ୍ତ ହେଲେ ବାଲେଶ୍ବର ଟାଉନ ଥାନା ଅଞ୍ଚଳର ସୁରେଶ ଦାଶଙ୍କ ପୁଅ ଅଜୟ ଦାଶ। ଗିରଫ ପରେ ଉଭୟଙ୍କୁ ଡାକ୍ତର ମାଇନା କରାଯାଇଛି। ପ୍ରାଥମିକ ରିପୋର୍ଟରେ ଦୁଷ୍କର୍ମ ବୋଲି ସ୍ପଷ୍ଟ ହୋଇଛି।