ମହାନଦୀ ପୋଲରୁ ବସ୍ ଖସିପଡିବା ଘଟଣା ; ଆହତଙ୍କ ମଧ୍ୟରୁ ୫ଜଣ ଆଇସିୟୁରେ ଭର୍ତ୍ତି, ୧୦ଜଣ ମୃତ, ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ
21/11/2018 at 9:37 AM

କଟକ ୨୧|୧୧: କଟକ ମହାନଦୀ ପୋଲ ଉପରୁ ବସ୍ ଖସିପଡି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ଏସ୍ସିବିରେ ଚିକିତ୍ସା ଚାଲିଛି । ଆଇସିୟୁରେ ୫ ଜଣ ଓ ୱାର୍ଡରେ ୩୫ ଜଣ ଚିକିତ୍ସିତ ହେଉଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେ।ଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଗାଡିରେ ନିଜ ନିଜ ଘରକୁ ପଠାଯିବ । ଗୁରୁତରଙ୍କୁ ଚିକିତ୍ସା ପରେ ତାଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରୁଛି ପେ।ଲିସ । ଏହାପରେ ବସ୍ ଦୁର୍ଘଟଣାର ତଦନ୍ତ ହେବ ।
ଗତକାଲି ସନ୍ଧ୍ୟାରେ ମହାନଦୀ ବ୍ରିଜ ଉପରୁ ଖସିଥିଲା ଜଗନ୍ନାଥ ବସ୍ । ଏକ ମଇଁଷିକୁ ଧକ୍କା ଦେଇ ବସଟି ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ଅନିତା ଆଚାର୍ଯ୍ୟ, କଟକ ହୋଲିପୁରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହେରା, ବାଲେଶ୍ବର ଗୋପାଳପୁରର ମାନସ ତ୍ରିପାଠୀ, ରାଉରକେଲାର ସନ୍ତୋଷ କୁମାର ଦାସ, ଢେଙ୍କାନାଳ ମୋଟଗାଁର ମିନତୀ ବେହେରା, ନୟାଗଡର କୁମାର ସୌମ୍ୟରଞ୍ଜନ ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁରର ବର୍ଷା ବରଣୀ ପାଣି । ଜିଲ୍ଲା ପ୍ରଶାସନ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ଯେଉଁମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ମିଳିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବହୁ ଡାକ୍ତର ଏବଂ ହସ୍ପିଟାଲର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି । ସେହି ନମ୍ବଟି ହେଲା ୦୬୭୧-୨୩୦୪୦୦୧ ଏବଂ ୨୪୩୧୯୨୧ । ଏହା ସହ ୨ଟି ମୋବାଇଲ ନମ୍ବର୭୦୦୮୯୪୦୦୧୯ ଏବଂ ୯୪୩୭୦୭୫୮୯ ଜାରି ହୋଇଛି ।
ସୂଚନା ଅନୁସାରେ ପୂର୍ବରୁ ଏହି ମହାନଦୀ ପୋଲରେ ଭୟଙ୍କର ବସ୍ ଦୁର୍ଘଟଣାମାନ ଘଟିଥିଲା । କେନ୍ଦ୍ରାପଡା ଜିଲ୍ଲା କୋରୁଆରୁ କଟକ ଆସୁଥିବା କନକ ଦୁର୍ଗା ବସ୍ ମହାନଦୀ ପୋଲରୁ ତଳକୁ ଖସି ପଡିଥିଲା । ବସ୍ ର ଟାୟାର ଫାଟିଯିବାରୁ ବସ୍ ଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୪୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଗୁରୁତର ଭାବେ ଆହତ ହୋଇଥିଲା । ପାଣି ଭିତରୁ ବୋଟ୍ ରେ ମୃତାହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଆଜିର ଏହି ବସ୍ ଦୁର୍ଘଟଣା ସେଦିନର ଦୁଃଖଦ ଘଟଣାକୁ ମନେପକାଇଦେଇଛି ।