କଟକ ଲୁଟ୍ ଘଟଣା : ଆନ୍ଧ୍ର ସୀମାରେ ଜଗିଛି ପୋଲିସ, ଦକ୍ଷିଣ ଓଡିଶା ଲିଙ୍କ ପରେ ସ୍ୱତନ୍ତ୍ର ଟିମ୍‌ର ଛାନ୍‌ଭିନ୍‌

Published By : Prameya-News7 Bureau | November 23, 2020 IST

କଟକ ୨୩।୧୧: କଟକ ସହର ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌  ଫାଇନାନ୍ସ ସଂସ୍ଥାରୁ ଗତ ଗୁରୁବାର ବଡ ଧରଣର ଡକାୟତି ହୋଇଥିଲା । ଇତିମଧ୍ୟରେ ଘଟଣାକୁ ୫ଦିନ ବିତିଗଲାଣ କିନ୍ତୁ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ ସନ୍ଧାନ ମିଳିନାହିଁ । ଫାଇନାନ୍ସ ସଂସ୍ଥାରୁ ପ୍ରାୟ ୨୦ କୋଟି ମୂଲ୍ୟର ସୁନା ଗହଣା ଡକାୟତି ହୋଇଥିଲା ।  ଘଟଣାରେ କଟକ ପୋଲିସକୁ ଦକ୍ଷିଣ ଓଡ଼ିଶାର ଲିଙ୍କ୍‌ ମିଳିଛି । ଯାହାକୁ ଭିତ୍ତିକରି ଟୁଇନ୍‌ସିଟିର ଏକ ପୋଲିସ୍‌ ଟିମ୍‌ ଗଞ୍ଜାମ୍‌ରେ ଡେରାପକାଇଛି । କବିସୂର୍ଯ୍ୟନଗର ଓ ଭଞ୍ଜନଗର ଅଞ୍ଚଳରେ ପୋଲିସ୍‌ ଟିମ୍‌ ତନାଘନା ଜାରି ରଖିଛି । ଏହି ସବୁ ଅଞ୍ଚଳକୁ ଆନ୍ଧ୍ର ସୀମା ପାଖ ହୋଇଥିବାରୁ , ସେସବୁ ଅଞ୍ଚଳକୁ ସ୍ଥାନୀୟ ପୋଲିସ ସହାୟତାରେ ସିଲ୍‌ କରାଯାଇଥିବାର ସୂଚନା ରହିଛି ।

ଖବର ଅନୁଯାୟୀ, କଟକ ପୋଲିସ ୨ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା କରିବା ପରେ ଲୁଟ୍‌ ନେଇ କିଛି ତଥ୍ୟା ହସ୍ତଗତ ହୋଇଥିଲା । ଏହାସହିତ ଗୁଇନ୍ଦା ତଥ୍ୟ ମଧ୍ୟ ପୋଲିସ ନିକଟରେ ପହଞ୍ଚିଛି । ଫାଇନାନ୍ସ କମ୍ପାନୀ ଲୁଟ୍‌ ଘଟଣାରେ ସାମିଲ ଥିବା ଅପରାଧୀମାନେ ଗଞ୍ଜାମ ଲୁଚିରହିଥିବା ଗୁଇନ୍ଦା ଖବର ମିଳିବା ପରେ ଆକ୍ସନ ମୋଡ଼ରେ ଆସିଯାଇଥିଲା ପୋଲିସ । କମିଶନରେଟ ପୋଲିସର ୨ଟି ଟିମ୍‌ ରାତି ଅଧିଆ ଗଞ୍ଜାମ ଯାଇ ଛାନ୍‌ଭିନ୍‌ କରୁଛି । ଗଞ୍ଜାମ ଯାଇଥିବା ଟିମ୍‌ରେ କଟକ-ଭୁବନେଶ୍ୱରର ଏକାଧିକ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଛନ୍ତି । ତଦନ୍ତ ଲାଗି ପୁଣି ଗଞ୍ଜାମ ପୋଲିସର ସହଯୋଗ ନେଇଛି । ଟ୍ୱିନ୍‌ ସିଟି ଟିମ୍‌ ଓ ଗଞ୍ଜାମ ପୋଲିସ  କବିସୂର୍ଯ୍ୟନଗରକୁ ଓ ଭଞ୍ଜନଗରର ବିଭିନ୍ନ ଅଞ୍ଚଳକୁ ଯାଇ ଛାନ୍‌ଭିନ୍‌ ଜାରି ରଖିଛି ।

ଶନିବାର ରାତି ତମାମ୍‌ ଓ ରବିବାର ସକାଳୁ ଏହି ସବୁ ଅଞ୍ଚଳରେ ଚଢ଼ଉ ଜାରି ରହିଥିଲା । ଗଞ୍ଜାମଠାରୁ ଅଳ୍ପ କିଛି ଦୂରରେ ଆନ୍ଧ୍ରପ୍ରଦେଶର ସୀମା ରହିଛି । ଅପରାଧୀମାନେ ସୀମା ପାର୍‌ କରି ଆନ୍ଧ୍ର ପ୍ରଦେଶ ପଳାଇବେ ସେହି ଭୟରେ ସ୍ଥାନୀୟ ପୁଲିସ ସହାୟତାରେ ଗତକାଲି ରାତିରେ କିଛି ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଗାଡ଼ିମଟର ଯାଞ୍ଚ୍‌ କରାଯାଇଥିଲା । ରବିବାର ରାତି ପର୍ଯ୍ୟନ୍ତ ପୁଲିସ ଟିମ୍‌ ଗଞ୍ଜାମରେ ଥିବା ସୂଚନା ମିଳିଛି । ମାତ୍ର ପୁଲିସ ହାତରେ ଲୁଟେରା ମାନେ ଧରାପଡ଼ିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.