ଆଇନଜୀବୀଙ୍କୁ ପୋଲିସ ମାଡ ଘଟଣାର ତଦନ୍ତ ୯ ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ , ତଥାପି ଆନ୍ଦୋଳନରୁ ଓହରିବନି ଓକିଲ ସଂଘ: ତେଜୁଛି ହାବିଲଦାର ସିପାହୀ ସଂଘ

Published By : Prameya-News7 Bureau | October 30, 2018 IST

କଟକ ୩୦|୧୦: କଟକରେ ଆଇନଜୀବୀଙ୍କୁ ପୋଲିସ ମାଡ ଘଟଣାର ତଦନ୍ତ ୯ ତାରିଖ ଶୁଦ୍ଧା ଶେଷ କରାଯିବ । ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ତତ୍ବାବଧାନରେ ଏହି ଘଟଣାର ତଦନ୍ତ ହେବ । ତଦନ୍ତ ସରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହାସତ୍ବେ ବି ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛି ହାଇକୋର୍ଟ ବାର ଆସୋସିଏସନ୍‌ । ସେପଟେ ଗତକାଲି ହାଇକୋର୍ଟ ପରିସରରେ ୨ କନଷ୍ଟେବଲଙ୍କୁ ଆଇନଜୀବୀଙ୍କ ମାଡ଼ ଘଟଣାରେ ଆଇନଜୀବୀଙ୍କୁ ଗିରଫ ପାଇଁ ହାବିଲଦାର ଓ କନଷ୍ଟେବଲ ସିପାହୀ ସଂଘ ଦାବି କରିଛି । ଆଇନଜୀବୀଙ୍କୁ ଗିରଫ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ତତ୍ବାବଧାନରେ ହେବ ଆଇନଜୀବୀଙ୍କୁ ପୋଲିସ ମାଡ ଘଟଣାର ତଦନ୍ତ । ନେଭେମ୍ବର ୯ ସୁଦ୍ଧା ତଦନ୍ତ ସାରିବେ ତଦନ୍ତକାରୀ ଅଧିକାରୀ  । ଆଇନଜୀବୀ ପୋଲିସ ଗଣ୍ଡଗୋଳ ମାମଲାରେ ଏମିତି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତକାରୀ ଅଧିକାରୀ ପ୍ରତିଦିନ ତଦନ୍ତ ଅଗ୍ରଗତି ସଂପର୍କରେ ଜଷ୍ଟିସ ଦାସଙ୍କୁ ରିପୋର୍ଟ କରିବେ ।୯ ତାରିଖ ଦିନ ହିଁ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ସତ୍ବେ ହାଇକୋର୍ଟ ବାର ଆସୋସିଏସନ୍‌ ତା ଆଭିମୂଖ୍ୟରେ ପରିବର୍ତ୍ତନ ଆଣିନି । ଆଗକୁ ଆନ୍ଦୋଳନ ଜାରି ରହିବ କି ନା ସେନେଇ ନିଷ୍ପତ୍ତି ନେବାକୁ ଗୁରୁବାର କଟକରେ ସମସ୍ତ ବାର ଆସୋସିଏସନର ମିଳିତ ବୈଠକ ବସିବ । ସେଠାରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି  ହାଇକୋର୍ଟ ବାର ଆସୋସିଏନର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।ସେହିପରି ବିଜେଡି ଲିଗାଲ୍ ଫ୍ରଣ୍ଟର କାର୍ଯ୍ୟକଳାପକୁ ନେଇ ସଂଘ କଠୋର ପଦକ୍ଷେପ ନେବାକୁ ଯୋଜନା କରିଛି ବୋଲି ହାଇକୋର୍ଟ ବାସ ଆସୋସିଏସନ୍‌ ର ସଭାପତି ଶ୍ରାକାନ୍ତ ନାୟକ କହିଛନ୍ତି । ସୋମବାର ହାଇକୋର୍ଟ ପରିସରରେ ୨ କନଷ୍ଟେବଲଙ୍କୁ ଆଇନଜୀବୀଙ୍କ ମାଡ ଘଟଣାର ନିନ୍ଦା କରିଛି ରାଜ୍ୟ ହାବିଲଦାର କନଷ୍ଟେବଲ ସିପାହି ମହାସଂଘ । ମାଡ ମାରିଥିବା ଆଇନଜୀବୀଙ୍କୁ ତୁରନ୍ତ ଗିରଫ କରିବାକୁ ସଂଘ ଦାବି କରିଛି । ନଚେତ ଆନ୍ଦୋଳକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି ।ସେହିଭଳି ହାଇକୋର୍ଟ ପରିସରକୁ ପୋଲିସ ପ୍ରବେଶ ପ୍ରସଙ୍ଗରେ ପୋଲିସ କମିଶନର କହିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରାର ପୋଲିସ ପ୍ରବେଶ ପାଇଁ ଅନୁମତି ଦେଇଥିଲେ । ଗଣ୍ଡଗୋଳିଆ ପରିସ୍ଥିତି ଥିବାରୁ ପୋଲିସ ପ୍ରବେଶ କରିବାକୁ ବାଧ୍ୟ ହୋଇଛି । ଗତକାଲିର ଗଣ୍ଡଗୋଳକୁ ନେଇ ୨ଟି ମାମଲା ରୁଜୁ ହୋଇଛି । ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । କ୍ୟାମ୍ପକୋର୍ଟ କରାଯାଇ ବିଚାରାଧୀନ ବନ୍ଦୀଙ୍କୁ ଜାମିନ ଦିଆଯିବା କିଛି ଆଶ୍ବସ୍ତି ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.