ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍, କଟକ ଜିଲ୍ଲା ଖଣ୍ଡସାଇଲୋ ଗାଁରେ ଲାଗିଲା କଟକଣା
26/12/2020 at 11:11 AM

ନିଆଳି ୨୬।୧୨: କଟକ ଜିଲ୍ଲାରେ କରୋନାକୁ ନେଇ ଭୟର ବାତାବରଣ । ଜଣେ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହେବା ସହ ୧୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏଭଳି ସମ୍ବେଦନଶୀଳ ସ୍ଥିତିରେ କଣ୍ଟାପଡାର ଖଣ୍ଡସାଇଲୋ ଗ୍ରାମ ନୂଆସାହି ୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି କଟକ ଉପଜିଲ୍ଲାପାଳ । ଶନିବାର ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ସନ୍ଧ୍ୟା ୬ଟା ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ଅନ୍ୟପଟେ ୨୨ ତାରିଖରେ ଆଠଗଡ଼ରେ ହୋଇଥିବା ଆଣ୍ଟିଜେନ୍ ଟେଷ୍ଟ୍ରୁ ୯ ଜଣଙ୍କ ପଜିଟିଭ୍ ଆସିଥିଲା । ଯାହାଫଳରେ ଯୋରନ୍ଦା ପଞ୍ଚାୟତର ପାଇକେରାପୁର ଗ୍ରାମକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ତେଣୁ ୩ ଦିନ ମଧ୍ୟରେ କଟକ ଜିଲ୍ଲାରେ ୨ଟି କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହେବା ଚିନ୍ତା ସୃଷ୍ଟି କରିଛି ।
କରୋନାର ଦ୍ବିତୀୟ ଲହରୀର ଏହା ପ୍ରାରମ୍ଭିକ ପର୍ଯ୍ୟାୟ କି ନା ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହାକୁ ନେଇ ଆଶଙ୍କାମୂଳକ ସ୍ଥିତି ସୃଷ୍ଟି ହୋଇଛି । ଅବଶ୍ୟ ଜିଲ୍ଲାର ଅନ୍ୟ ଅଞ୍ଚଳ ତଥା କଟକ ସହରରେ ସଂକ୍ରମଣ ହ୍ରାସ ଧାରା ଜାରି ରହିଥିବାରୁ ଆଶ୍ବସ୍ତି ପ୍ରକାଶ ପାଇଛି ।

