ଦହିବରା-ଚକୁଳି ଭେଟ୍‌ଘାଟ : ରଘୁ ମଉସା ଖାଇଲେ ଚକୁଳି, ୬୦ବର୍ଷ ପରେ ଦହିବରା ଚାଖିଲେ ଅନପୂର୍ଣ୍ଣା ମାଉସୀ

Published By : Prameya-News7 Bureau | June 03, 2020 IST

ଭୁବନେଶ୍ୱର ୦୩।୦୬ : ଯାହା କ୍ଷେତ୍ରରେ ଯିଏ ପାରଙ୍ଗମ, କିନ୍ତୁ ହୋଇନାହିଁ କାହାର କାହା ସହିତ ଭେଟ । କାର୍ଯ୍ୟ କରିଚାଲିଥିଲେ ନିଜ ନିଜ କ୍ଷେତ୍ରରେ, ବ୍ୟସ୍ତତା ହେଉ କି ଅନ୍ୟ କୌଣସି କାରଣରୁ ଭେଟ୍‌ଘାଟ ହୋଇପାରିନଥିଲା ଉଭୟଙ୍କ ମଧ୍ୟରେ । କଟକ ସହରରେ ଦୁଇଟି ନାଁ କିଏ ନ ଜାଣିଛି । ଗୋଟିଏ ହେଉଛି ରଘୁ ଦହିବରା ଆଉ ଅନ୍ୟଟି ହେଉଛି ଅନ୍ନପୂର୍ଣ୍ଣା ଚକୁଳି । ଉଭୟଙ୍କର ଦହିବରା ଆଉ ଚକୁଳି କିଏ ନ ଖାଇଛି । ସମସ୍ତେ ଖାଇଛନ୍ତି, ଜାଣିଛନ୍ତି । ପ୍ରାଚୀନ ସହରର ଦୁଇ ଜଣ ପୁରୁଣା ମଣିଷ । ଜଣେ ଦହିବରା ଆଉ ଜଣେ ଚକୁଳି ପାଇଁ ପ୍ରସିଦ୍ଧ । ସେହି ନାଁରେ ସେମାନେ ପରିଚିତ । ଦେଶ ବିଦେଶରେ ବି ଏହି ଖାଦ୍ୟକୁ ନେଇ ବେଶ୍‌ ଚର୍ଚ୍ଚା । କିନ୍ତୁ ଆଶ୍ଚର୍ଯ୍ୟ, ଉଭୟେ ବର୍ଷ ବର୍ଷ ଧରି କଟକରେ ରହି ଆସୁଥିଲେ ବି କାହା ସହିତ କାହାରି ଭେଟ ହୋଇନି । କିଏ କାହାର ଖାଦ୍ୟ ଚାଖି ନାହାନ୍ତି । କେବଳ ଦୁହେଁ ଦୁହିଁଙ୍କ ନାଁ ଶୁଣିଛନ୍ତି । ପରିଣତ ବୟସରେ ପ୍ରଥମ ଥର ପାଇଁ ଯେତେବେଳେ ଦୁହେଁ ଭେଟ ହେବାର ସୁଯୋଗ ଆସିଲା ଉଭୟେ ଭାବବିହ୍ୱଳ ହୋଇପଡ଼ିଲେ । ଶେଷରେ ଭେଟ ହେଲେ । ଜଣେ ଜଣଙ୍କ ଖାଦ୍ୟ ଖାଇଲେ । ଭାବ ବାଣ୍ଟିଲେ । ଯାହା ହେଲା ତାହା ଥିଲା ଅଭୂତପୂର୍ବ, ଐତିହାସିକ । ଏହା ଏକ ଭିନ୍ନ କାହାଣୀ । ପ୍ରଥମ ଥର ପାଇଁ କଟକ ପ୍ରସିଦ୍ଧ ରଘୁ ଦହିବରା ଓ ଅନ୍ନପୂର୍ଣ୍ଣା ଚକୁଳି ଭେଟର କାହାଣୀ ।

ଉଭୟଙ୍କୁ ଏକାଠି କରିବା ପଛରେ ଥିଲେ ଜଣେ ସୂତ୍ରଧର । ବ୍ଲଗ୍‌ର ତଥା ଫୁଡ୍‌ ଫିଣ୍ଡୋର ମୁଖ୍ୟ ରୋହିତ ଶ୍ରୀବାସ୍ତବ । ଅନ୍ନପୂର୍ଣ୍ଣା ମାଉସୀ, ରଘୁ ମଉସାଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ବନ୍ଧୁମାନଙ୍କଠାରୁ ଗତ ୨୮ତାରିଖରେ ଶୁଣିବାକୁ ପାଇଲେ । ଏହା ଶୁଣି ରୋହିତ ସଙ୍ଗେ ସଙ୍ଗେ ଦୁହିଁଙ୍କୁ ଏକାଠି କରିବାକୁ ଲାଗିପଡ଼ିଲେ । ଗତ ୩୦ ତାରିଖରେ ଉଭୟଙ୍କ ଭେଟ କରିବାକୁ ସ୍ଥିର କଲେ । ସେହିଦିନ ସକାଳୁ ରୋହିତଙ୍କ ସାଥୀ ଅନ୍ନପୂର୍ଣ୍ଣା ମାଉସୀଙ୍କୁ ଜଣାଇ ଦେଇଥାନ୍ତି ଆଜି ରଘୁ ମଉସାଙ୍କୁ ଭେଟିବାକୁ ଯିବା । ରୋହିତ କହିଛନ୍ତି, ଦିନ ଅଢ଼େଇଟା ବେଳେ ଅନ୍ନପୂର୍ଣ୍ଣା ମାଉସୀଙ୍କ କଟକ ନନ୍ଦି ସାହି ଘର ଆଗରେ କାର୍‌ ଲାଗିଲା । ରଘୁ ମଉସାଙ୍କୁ ଭେଟିବାକୁ ଯିବେ ବୋଲି ମାଉସୀଙ୍କ ଆଗ୍ରହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.