କଟକ ପାଲଟିଛି ଅଜଣା ହତ୍ୟାକାଣ୍ଡର ସେଫ୍ ଜୋନ୍ : ରହସ୍ୟମୟ ହୋଇ ରହିଯାଉଛି ହତ୍ୟାକାଣ୍ଡ, ଘଟଣା ଉପରୁ ପରଦା ଉଠାଇପାରିନାହିଁ ପୋଲିସ
14/07/2019 at 4:01 PM

କଟକ ୧୪|୭: କଟକ ପାଲଟିଛି ହତ୍ୟାକାଣ୍ଡ ପରେ ଶବ ଫୋପାଡିବା ପାଇଁ ସେଫ୍ ଜୋନ୍ । ଗତ ୪ ବର୍ଷ ଭିତରେ ଦୁଇଟି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ହତ୍ୟାକାରୀ କି ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିର ପରିଚୟ ଠାବ କରି ପାରି ନାହିଁ ପୋଲିସ ।ତେବେ ଅଚିହ୍ନା ଶବରେ ପୋଲିସକୁ ହତ୍ୟାକାରୀ ଚିହ୍ନଟ ହେଉଥିବା ପୂର୍ବତନ ପୋଲିସ ଅଧିକାରୀ କହୁଥିବା ବେଳେ ସାଇଣ୍ଟିଫିକ୍ ତରିକାରେ ତଦନ୍ତ କଲେ ଏହା ଉପରୁ ପରଦା ଉଠି ପାରିବ ବୋଲି କହିଛନ୍ତି ଆଇନଜୀବୀ ।

କଟକ ପାଲଟିଛି ଅଜଣା ହତ୍ୟାକାଣ୍ଡର ସେଫ୍ ଜୋନ୍ । ହତ୍ୟାକାଣ୍ଡ ବାହାରେ ଘଟୁ ବା ବାହାର ବ୍ୟକ୍ତିଙ୍କୁ ଏଠାକୁ ଅଣାଯାଇ ହତ୍ୟା କରାଯାଉ ଏ ସବୁ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ ପୋଲିସ । କେତେବେଳେ ସହରରୁ ମିଳିଛି ଅଜଣା ମହିଳାଙ୍କ ମୁଣ୍ଡବିହୀନ ଶବ ତ ଆଉ କେତେବେଳେ ମିଳିଛି ପଥରରେ ଛେଚି ହତ୍ୟା କରାଯାଇଥିବା ଯୁବକଙ୍କ ମୃତଦେହ ।

ହେଲେ ହତ୍ୟାକାରୀ ଗିରଫ ହେବା ଦୂରେ ଥାଉ ହତ୍ୟାକାଣ୍ଡର ଶୀକାର ହୋଇଥିବା ବ୍ୟକ୍ତିର ପରିଚୟ ମିଳିପାରୁନାହିଁ । ଯେଉଁଥିପାଇଁ ଏହିସବୁ ହତ୍ୟାକାଣ୍ଡ ରହସ୍ୟମୟ ହୋଇ ରହିଯାଉଛି ।ତେବେ ପୋଲିସ ତଦନ୍ତରେ ଶିଥିଳତା ଏବଂ ସାଇଣ୍ଟିଫିକ୍ ଉପାୟରେ ତଦନ୍ତ କରାଗଲେ ଘଟଣାର ପର୍ଦ୍ଦାଫାସ୍ ହୋଇପାରନ୍ତା ବୋଲି କହିଛନ୍ତି ଆଇନଜୀବୀ ।

୨୦୧୬ ନଭେମ୍ବର ୨୪ । ଫେଜ୍-ଟୁ ଥାନା ଅନ୍ତର୍ଗତ ନରାଜ ନଈ ପଠାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ଶବ। ମୁଣ୍ଡ ନେଇ ଫେରାର ହୋଇଯାଇଥିଲା ହତ୍ୟାକାରୀ । ସେହିଭଳି ଚଳିତ ମାସରେ ବାଦାମବାଡ଼ି ଥାନା ଖାନନଗର ଓଏସଲ ପଡ଼ିଆ ରୁ ମିଳିଥିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ପଥରରେ ଛେଚି କେହି ଦୁର୍ବୁତ୍ତ ହତ୍ୟା କରିଥିଲା । ଉଭୟ ଘଟଣାରେ ପୋଲିସ ହତ୍ୟାକାଣ୍ଡର ଶୀକାର ହୋଇଥିବା ମୃତଦେହର ପରିଚୟ ଠାବ କରି ପାରି ନାହିଁ ।

ମହିଳାଙ୍କ ହତ୍ୟା ମାମଲାରେ ସାଇଣ୍ଟିଫିକ୍ ତଦନ୍ତ ସରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ସାଇଣ୍ଟିଫିକ୍ ତଦନ୍ତ କରିପାରିନାହିଁ ।