ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା

Published By : Prameya-News7 Bureau | November 11, 2019 IST

କଟକ ୧୧/୧୧: ଆସନ୍ତାକାଲିଠାରୁ  ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଏହି ବାଲିଯାତ୍ରାକୁ ସ୍ୱତନ୍ତ୍ରଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଜାରି ରଖିଛି। କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ମହାନଦୀର କୂଳରେ ଥିବା ଗଡଗଡିଆ ଘାଟର ତଳ ଓ ଉପର ପଡିଆରେ ଆରମ୍ଭ ହେବ ଏହି ଯାତ୍ରା।

{"id":182296}

ସାମୁଦ୍ରିକ ଝଡ ବୁଲବୁଲ ପାଇଁ ଏଥର ଯାତ୍ରା ପସ୍ତୁତିରେ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି କାମ। ବାଲିଯାତ୍ରାର  ରାଜ୍ୟର ଉତ୍ସବ ମାନ୍ୟତା ପାଇବାପରେ ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏଥର ବାଲିଯାତ୍ରାରେ ବହୁ ନୂତନ ଯୋଜନା ହାତକୁ ନିଆଯାଇଛି। ସାଇକେଲ୍‍ ପାଇଁ ବାଲିଯାତ୍ରା ପଡିଆ ନିକଟରେ ମାଗଣା ପାର୍କିଂ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଲୋକେ ନିର୍ଦ୍ଦିଷ୍ଟ ଦେୟ ଦେଇ ମୋ ରିକ୍ସା ଯୋଜନା ଅଧୀନରେ ପଡିଆ ନିକଟକୁ ଆସିପାରିବେ।

{"id":182297}

ସେହିପରି ଲୋକଙ୍କ ପାଇଁ ବୋଟିଂର ମଧ୍ୟ ସୁବିଧା କରାଯାଇଛି, ନିର୍ଦ୍ଦିଷ୍ଟ ଦେୟ ଦେଇ ଲୋକେ ବୋଟିଂ ମଜା ଉଠାଇପାରିବେ। ଏହା ଛଡା ଏଥର ବାଲିଯାତ୍ରାରେ ୪ଟି ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବାଲିଯାତ୍ରାରେ କଟକ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

{"id":182298}

ଏଥର ଯାତ୍ରା ପାଇଁ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଉଥିବାବେଳେ ଉଭୟ ପଡିଆରେ ସି.ସି.ଟି.ଭି. ଲଗାଯିବ ଓ ବିଭିନ୍ନ ସ୍ଥାନରେ ୱାଚ ଟାୱାର ସ୍ଥାପନ କରାଯିବ। ସେହିପରି ପଡିଆରେ ସାଧା ପୋଷାକଧାରୀ ପୁଲିସ, ର‍୍ୟାପିଡ୍‍ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହେବେ ବୋଲି କଟକ ଡି.ସି.ପି. ଅଖିଳେଶ୍ୱର ସିଂହ କହିଛନ୍ତି। ବାଲିଯାତ୍ରା ପଡିଆରେ ପଲିଥିନ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଏହି ଯାତ୍ରା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

{"id":182299}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.