ନଭେମ୍ବର ୨୩ ରୁ କଟକ ବାଲିଯାତ୍ରା : ଏପର୍ଯ୍ୟନ୍ତ ଷ୍ଟଲ ଦରକୁ ନେଇ ପ୍ରଶାସନ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ହୋଇପାରୁନି ସହମତି

Published By : Prameya-News7 Bureau | November 07, 2018 IST

କଟକ ୭|୧୧: ଦିନ ପରେ ଦିନ ଗଡିଚାଲିଛି, ହେଲେ ବାଲିଯାତ୍ରା ପାଇଁ ଦର ଧାର୍ଯ୍ୟ ହୋଇପାରୁନାହି । ବାଲିଯାତ୍ରା ବ୍ୟବସାୟୀ ସଂଘ ସହ କଟକ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ ବି ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଗଡଗଡେଶ୍ବର ମନ୍ଦିର ପାଖରେ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ପୂର୍ବ ବର୍ଷ ଭଳି ଧାର୍ଯ୍ୟ ଦର ଲାଗୁ କରିବା ପାଇଁ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ତେବେ କଟକ ଜିଲ୍ଲା ପ୍ରଶାସନ ଏଭଳି ପରିସ୍ଥିତିରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି…… ପାଖେଇ ଆସୁଛି ବାଲିଯାତ୍ରା । ବିଶେଷକରି ତଳ ବାଲିଯାତ୍ରା ପଡିଆରେ ବାଉଁଶ ପୋତିବା କାମ ବି ଆରମ୍ଭ ହୋଇଗଲାଣି । ହେଲେ ବର୍ଗଫୁଟ୍‌ ପ୍ରତି ବ୍ୟବସାୟୀମାନେ କେତେ ଦର ଦେବେ ତାହା ଏଯାଏଁ ଧାର୍ଯ୍ୟ ହୋଇପାରିନାହିଁ । କଟକ ଜିଲ୍ଲା ପ୍ରଶାସନ ଗତଥର ବର୍ଗଫୁଟ୍ ପ୍ରତି ୨୭ ଟଙ୍କା ଧାର୍ଯ୍ୟ କରିଥିଲା । ଆଉ ଏହା ତିନବର୍ଷ ପର୍ଯ୍ୟନ୍ତ କାଏମ୍‌ ରହିବ ବୋଲି ବାଲିଯାତ୍ରା ବ୍ୟବସାୟୀ ସଂଘ ସହ ବୁଝାମଣା ହୋଇଥିଲା । କିନ୍ତୁ ଜିଲ୍ଲାପାଳ ବଦଳି ଗଲା ପରେ ଏବେ ଜିଲ୍ଲା ପ୍ରଶାସନ ବର୍ଗଫୁଟ୍ ପ୍ରତି ଆଉ ୨ ଟଙ୍କା ବଢାଯିବ କହିଛି . ଆଉ ଏହାକୁ ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ ।  ବାଲିଯାତ୍ରାର ଯଥେଷ୍ଟ ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ବେପାର କରିବାକୁ ଆସିଥାନ୍ତି । କିନ୍ତୁ ଗଡଗଡେଶ୍ବର ମନ୍ଦିର ପାଖରେ ଏଯାଏ ତହସିଲ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟକୁ ଖୋଲାଯାଇ ନାହିଁ । ଫଳରେ ବ୍ୟବସାୟୀମାନେ ନିରାଶ ହୋଇଥିବା ଅଭିଯୋଗ ହୋଇଛି । ସେ ଦୋଳି ବ୍ୟବସାୟୀ ହୁଅନ୍ତୁ ବା କ୍ଷୁଦ୍ର ବ୍ୟବସାୟୀ ସମସ୍ତେ ଜିଲ୍ଲା ପ୍ରଶାସନର ୨ ଟଙ୍କା ବୃଦ୍ଧିକୁ ତୀବ୍ର ବିରୋଧ କରିଛନ୍ତି । ଚଳିତବର୍ଷ ବାଲିଯାତ୍ରା ସରିବା ପରେ ସେହି ମଞ୍ଚରେ ହକି ପାଇଁ ସିଟି ଫେଷ୍ଟିଭାଲ୍ ଆୟୋଜନ କରାଯାଉଛି । ଆଉ ତା ବାବଦକୁ ବ୍ୟବସାୟୀମାନେ ୧ ଟଙ୍କା ଲେଖାଏଁ ଅଧିକା ଦେବାକୁ ରାଜିଥିବା କହିଛନ୍ତି । ଚଳିତ ମାସ ୨୩ ନଭେମ୍ବରରୁ ୨୯ ତାରିଖ ଯାଏଁ ବାଲିଯାତ୍ରା ହେବ । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ମଞ୍ଚରେ ହକି ବିଶ୍ବ କପ୍‌ ପାଇଁ ସିଟି ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.