ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା : ହେଲେ ଏଯାଏଁ ସରିନି ପ୍ରସ୍ତୁତି
22/11/2018 at 7:13 PM

କଟକ ୨୨|୧୧: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା….ତେଣୁ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆରେ ପ୍ରସ୍ତୁତି କାମ ଜୋର୍ ଧରିଛି….ତେବେ ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ପ୍ରସ୍ତୁତିରେ ବିଳମ୍ବ ହୋଇଥିବା କହିଛନ୍ତି ବ୍ୟବସାୟୀ….ସେ ଦୋଳି ବ୍ୟବସାୟ ହେଉ ଅବା ଜାତୀସ୍ତରୀୟ ପଲ୍ଲିଶ୍ରୀ ମେଳା ସବୁଥିରେ ପ୍ରସ୍ତୁତି କାମ ଅଧାପନ୍ତରିଆ ରହିଛି…..ଓର୍ମାସ ପଲ୍ଲିଶ୍ରୀ ମେଳାରେ ଆଜି ବ୍ୟବସାୟୀମାନଙ୍କୁ ଷ୍ଟଲ୍ ହସ୍ତାନ୍ତର କରି ଆସନ୍ତାକାଲି ସକାଳୁ ଏହା ଖୋଲାଯିବା ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଅଧିକାରୀ…..
ଆସନ୍ତାକାଲି ବାଲିଯାତ୍ରା ।ତେଣୁ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆରେ ଚାଲିଛି ଚୁଡାନ୍ତ ପ୍ରସ୍ତୁତି ।କେଉଁଠି ଷ୍ଟଲ୍ କାମ ଚାଲିଛି ତ ଆଉ କେଉଁଠି ପାଲ ଘୋଡାଯାଉଛି । ବିଗତ ବର୍ଷଗୁଡିକରେ ବାଲିଯାତ୍ରାର ଯଥେଷ୍ଟ ପୂର୍ବରୁ ପ୍ରାୟ ଶତ ପ୍ରତିଶତ କାମ ସରିଥାଏ । କିନ୍ତୁ ଚଳିତବର୍ଷ ଦେଖାଯାଇଛି ଏହାର ବ୍ୟତିକ୍ରମ । ତେବେ ଏଥିପାଇଁ ଉଭୟ ବାହାର ଓ ରାଜ୍ୟର ବ୍ୟବସାୟୀମାନେ ଦାୟୀ କରିଛନ୍ତି ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘକୁ । ଉଭୟଙ୍କ ମଧ୍ୟରେ ହୋଇଥିବା ଟଣାଓଟରା ପାଇଁ ଚଳିତବର୍ଷ ବାଲିଯାତ୍ରା ପୂର୍ବରୁ ପ୍ରାୟ ୭୫ ପ୍ରତିଶତ କାମ ସରିଥିବା କହିଛନ୍ତି ବ୍ୟବସାୟୀ ।
ସେହିପରି କେବଳ ଓର୍ମାସ ବା ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ପକ୍ଷରୁ ଚଳିତବର୍ଷ ୩୮୦ଟି ଷ୍ଟଲ୍ ପଡିବ । ତେଣୁ ଓର୍ମାସ ଷ୍ଟଲ୍ ଭିତରେ ଜୋର୍ ଧରିଛି ପ୍ରସ୍ତୁତି ପର୍ବ । ତେବେ ଏହି ଜାତୀୟସ୍ତରୀୟ ମେଳାରେ ଭାଗ ନେବାକୁ ଦେଶର କୋଣ ଅନୁକୋଣରୁ ବହୁ ବେପାରୀ ଆଡ୍ଡା ଜମେଇବା ଆରମ୍ଭ କରିଛନ୍ତି । କିନ୍ତୁ ବାଲିଯାତ୍ରା ଆରମ୍ଭ ଦିନ ପୂର୍ବରୁ ସବୁ ପ୍ରସ୍ତୁତି ସରିଯିବ ବୋଲି ଓର୍ମାସ ଅଧିକାରୀ କହିଛନ୍ତି । ତେବେ ବ୍ୟବସାୟୀମାନଙ୍କୁ ଆଜି ଷ୍ଟଲ୍ ହସ୍ତାନ୍ତର କରାଯିବ ଓ ଆସନ୍ତାକାଲି ସକାଳୁ ଏହି ଷ୍ଟଲ୍ଗୁଡିକ ଖୋଲାଯିବ ବୋଲି କହିଛନ୍ତି ଓର୍ମାସ ପଲ୍ଲିଶ୍ରୀ ମେଳାର ଅଧିକାରୀ ।
ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ମୂଳରୁ ଚାଲିଥିବା ଟଣାଓଟରା ପାଇଁ ବାଲିଯାତ୍ରା ପ୍ରସ୍ତୁତିରେ ବିଳମ୍ବ ହୋଇଥିବା କୁହାଯାଇଛି । ତେବେ ବାଲିଯାତ୍ରା ବ୍ୟବସାୟୀ ସଂଘ କେବଳ କଟକ ନୁହେଁ ଖୋର୍ଦ୍ଧା ଓ ଭୁବନେଶ୍ବରର ଡେକୋରେଟରମାନଙ୍କୁ ଡକାଇ ଏପ୍ରକାର ମେଳାକୁ ଚୁଡାନ୍ତ ରୂପରେଖ ଦେବା ପାଇଁ ଚେଷ୍ଟା ଚଳାଇଥିବା ସୂଚନା ମିଳିଛି ।