୨୦ ଲକ୍ଷ ଟଙ୍କା ଚାନ୍ଦା ଦାବିରେ କଣ୍ଟେନର ବ୍ୟବସାୟୀଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗ : କଟକରେ ବଜରଙ୍ଗ ଦଳ ନେତା ଗିରଫ

Published By : Prameya-News7 Bureau | November 03, 2018 IST

କଟକ ୩|୧୧: କୋଡିଏ ଲକ୍ଷ ଟଙ୍କା ଦାବି କରି କଣ୍ଟେନର ବ୍ୟବସାୟୀଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଛନ୍ତି ବଜରଙ୍ଗ ଦଳ ନେତା ଆନନ୍ଦ ରାମ । ଜଗତପୁର ଥାନା ପୋଲିସ ଆନନ୍ଦଙ୍କୁ ଗିରଫ କରି କୋର୍ଟ  ଚାଲାଣ କରିବା ସହ ଅପହରଣରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରିଛି । ଏହି ଘଟଣାରେ ଫେରାର୍‌ ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ  ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି । ଗୋ-ସୁରକ୍ଷା ଆଳରେ ଚଳାଇଥିଲେ ଦାଦାଗିରି ଆଉ ବଟି ଆଦାୟ । ଅଭିଯୋଗ ପରେ କଟକରେ ବଜରଙ୍ଗ ଦଳର  ଜଣେ ନେତାଙ୍କୁ ଗିରଫ କରିଛି ପୋଲିସ । ଏହି ନେତା ଜଣକ ହେଲେ କଟକ ମଙ୍ଗଳାବାଗର ଆନନ୍ଦ ରାମ । ଜଣେ କଣ୍ଟେନର ବ୍ୟବସାୟୀଙ୍କ ଠାରୁ ୨୦ଲକ୍ଷ ଟଙ୍କା ଦାବି କରି ତାଙ୍କୁ ଅପହରଣ ଓ ଆକ୍ରମଣ କରିବା ଅଭିଯୋଗରେ ଆନନ୍ଦ ରାମଙ୍କୁ ଉଠାଇଛି ପୋଲିସ । ଅଭିଯୋଗ କରିଥିବା ବ୍ୟବସାୟୀ ଜଣକ ମହାନଦୀ ବିହାର ଅଂଚଳରେ ରହୁଥିବା ବେଳେ ତାଙ୍କ କଣ୍ଟେନରରେ ଗୋ-ଚାଲାଣ କରାଯାଉଥିଲା । ଯାହାକୁ ନେଇ ଆନନ୍ଦ ରାମ କୁଆଡ଼େ ପୂର୍ବରୁ ତାଙ୍କ ପାଖରୁ ନିୟମିତ ଟଙ୍କା ଆଦାୟ କରୁଥିଲେ । ତେବେ ଏକକାଳୀନ ୨୦ଲକ୍ଷ ଟଙ୍କା ଦେବାକୁ ମନା କରିବାରୁ ବଜରଙ୍ଗ ଦଳର ଏହି ନେତା ଜଣକ ତାଙ୍କର କିଛି ସହଯୋଗୀଙ୍କ ସହ ଜଗତପୁର ପୋଲ ଉପରୁ ବ୍ୟବସାୟୀ ଜଣଙ୍କୁ ଅପହରଣ କରିନେଇ ଚୌଦ୍ବାର ଅଂଚଳରେ ବାନ୍ଧି ମାଡ଼ ମାରିଥିଲେ । ସଂପୃକ୍ତ ବ୍ୟବସାୟୀ ଜଣକ ଏନେଇ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ । ତେବେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଆନନ୍ଦରାମକୁ ଗିରଫ କରିବା ସହ ଅପହରଣରେ ବ୍ୟବହୃତ ଏକ କାର୍‌କୁ ମଧ୍ୟ ଜବତ କରିଛି ପୋଲିସ ।ଗିରଫ ବଜରଙ୍ଗ ଦଳ ନେତା ଆନନ୍ଦ ରାମଙ୍କ ନାଁରେ କେବଳ ଏହି ଗୋଟିଏ ମାମଲା ନୁହେଁ ଆହୁରି ଅନେକ ମାମଲା ଥିବା କହିଛନ୍ତି ଡିସିପି । ପୂର୍ବରୁ ମଧ୍ୟ ଆନନ୍ଦ ରାମ ବଜରଙ୍ଗ ଦଳ ନାଁରେ ଗୋରୁ ଗାଡିରୁ ଟଙ୍କା ଆଦାୟ ନେଇ ଅଭିଯୋଗ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । କଣ୍ଟେନର ବ୍ୟବସାୟୀ ଜଗତପୁର ଥାନାରେ ଗତ ଗୁରୁବାର ଅଭିଯୋଗ କରିବା ପରେ ତାଙ୍କର ପାଣିକୋଇଲି ନିକଟରେ ଥିବା ଏକ କଣ୍ଟେନରକୁ ଆନନ୍ଦ ରାମ ଓ ତାଙ୍କ ସହଯୋଗୀ ଜାଳି ଦେଇଥିବା ନେଇ ଅନୁରୂପ ମାମଲା ପାଣିକୋଇଲି ଥାନାରେ ମଧ୍ୟ ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.