ଏହି ସହରରେ ଆଜି ରାତି ୯ଟାରୁ ଲାଗୁ ହେବ କର୍ଫ୍ୟୁ, ଖୋଲା ରହିବ କେବଳ ଔଷଧ ଓ କ୍ଷୀର ଦୋକାନ

Published By : Prameya-News7 Bureau | November 20, 2020 IST

ଅହମ୍ମଦାବାଦ, ୨୦|୧୧: ଗୁଜୁରାଟର ଅହମ୍ମଦାବାଦରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏଠାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଆଜିଠାରୁ ୫୭ ଘଣ୍ଟିଆ କର୍ଫ୍ୟୁ ଜାରି କରିଛନ୍ତି ।ଏହାକୁ ନେଇ ସରକାର ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ, ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏହାସହ ନଭେମ୍ବର ୨୩ରୁ ମାଧ୍ୟମିକ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇ ଦିଆଯାଇଛି ।

ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ଅହମ୍ମଦାବାଦ ସହରରେ ଶୁକ୍ରବାର ବା ନଭେମ୍ବର ୨୦ ରାତି ୯ଟାରୁ କର୍ଫ୍ୟୁ ଲାଗୁ ହେବ । ଏହା ସୋମବାର ସକାଳ ୬ଟା ଯାଏଁ ବଳବତ୍ତର ରହିବ । ଏହି ସମୟରେ କେବଳ କ୍ଷୀର ଓ ଔଷଧ ଦୋକାନ ଖୋଲା ରହିବ ବୋଲି ଅଧିକାରୀ କହିଛନ୍ତି ।

ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ କୁମାର ଗୁପ୍ତା କହିଛନ୍ତି ଯେ, ଅହମ୍ମଦାବାଦ ନଗର ପାଳିକାରେ ଭାଇରସର ସଂକ୍ରମଣ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପ୍ରଥମେ ଶୁକ୍ରବାର ରାତିରୁ ପରବର୍ତ୍ତୀ ଆଦେଶ ଯାଏଁ କର୍ଫ୍ୟୁ ଲାଗୁ ନେଇ ନଷ୍ପତ୍ତି ହୋଇଥିଲା । ପରେ ଏହାକୁ ସୋମବାର ସକାଳ ୬ଟା ଯାଏଁ ଲାଗୁ କରାଯାଇଛି । ଏହାସହ ସୋମବାର ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଗୁଜୁରାଟରେ ଗତ ୨୪ ଘଣ୍ଟାରେ ୧୩୪୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ରାଜ୍ୟରେ ଏବେସୁଦ୍ଧା ୧୯୨୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.