ଆମେରିକାରେ ଜଳୁଛି ନିଆଁ : କୃଷ୍ଣକାୟ ବ୍ୟକ୍ତି ହତ୍ୟା ଅଭିଯୋଗରେ ହ୍ବାଇଟହାଉସ ଆଗରେ ପୋଲିସ-ବିକ୍ଷୋଭକାରୀ ମଧ୍ୟରେ ମୁହାଁମୁହିଁ
1/06/2020 at 10:36 AM

ମିନେପୋଲିସ ୧/୬: ଆମେରିକାର ମିନେପୋଲିସରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ସାରା ଦେଶରେ ନିଆଁ ଜଳୁଛି । ତାଙ୍କୁ ପୋଲିସ ହତ୍ୟା କରିଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଜଣେ ପୋଲିସ ଅଧିକାରୀ ତାଙ୍କୁ ଆଣ୍ଠୁରେ ଚାପି ରଖି ଭିଡିଓ ଭାଇରାଲ ପରେ ହିଂସା ଉଗ୍ର ରୂପ ନେଇଛି । ହଜାର ହଜାର ସଂଖ୍ୟାରେ ପ୍ରତିବାଦକାରୀ ହ୍ବାଇଟ ହାଉସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପୋଲିସ-ବିକ୍ଷୋଭକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଅଣାୟତ୍ତ ହେବାରୁ ୱାଶିଂଟନ ଡିସି ସହ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି । ବୋଷ୍ଟନ, ଲସଆଞ୍ଜେଲସ, ଚିକାଗୋ, ନ୍ୟୁୟର୍କ, ସିଆଟଲ ସହରରେ ଅନେକ ସହରରେ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିବା ଜଣାଯାଇଛି ।
ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାଶିଂଟନ ଡିସିର ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ନିଆଯାଇଥିଲା ।