ଚାଷୀଙ୍କ ପାଇଁ ଖୁସି ଖବର : ମଧ୍ୟପ୍ରଦେଶରେ କଟାହେଲା ୬୦ ପ୍ରତିଶତ ଗହମ ଫସଲ, ଅନ୍ୟ ରାଜ୍ୟରେ ଆରମ୍ଭ ହେବ କଟାଣ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭/୦୪ : ଦେଶର ମୋଟ ଗହମ ଉତ୍ପାଦନର ୮୩ ପ୍ରତିଶତ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହୋଇଥାଏ | ବାକିତକ ୧୭ ପ୍ରତିଶତ ଉତ୍ପାଦନ ଅନ୍ୟ ରାଜ୍ୟମାନଙ୍କରେ ହୋଇଥାଏ | ଚଳିତ ବର୍ଷ ପାଣିପାଗ ଭଲ ଥିବାରୁ ରବି ଫସଲ ଭଲ ହୋଇଛି | ଲକଡାଉନ ଯୋଗୁଁ ଫସଲ କଟିବାରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଥିଲା | କିନ୍ତୁ ଫସଲ କଟିବାରେ ବିଳମ୍ବ ହୋଇନାହିଁ | ମଧ୍ୟପ୍ରଦେଶରେ ୬୦ ପ୍ରତିଶତ ଫସଲ କଟା ସରିଛି | ହରିୟାଣା, ପଞ୍ଜାବ ଓ ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶରେ ଏବେ ଫସଲ କଟାଯାଇନାହିଁ | ମଣ୍ଡି ଖୋଲିଲେ ଗହମ ବିକ୍ରି ହେବ |

ମଧ୍ୟପ୍ରଦେଶରେ ପ୍ରତିବର୍ଷ ୧୭ ପ୍ରତିଶତ ଗହମ ଉତ୍ପାଦନ ହୋଇଥାଏ | ଚଳିତ ବର୍ଷ ୧୯୦ ଲକ୍ଷ ଟନ ଗହମ ଉତ୍ପାଦନର ସମ୍ଭାବନା ରହିଛି | ଅର୍ଥାତ ଗତ ବର୍ଷ ତୁଳନାରେ ୨୫ ଲକ୍ଷ ଟନ ଅଧିକ | ବୁଧବାର ରାଜ୍ୟର ୪ ହଜାର କେନ୍ଦ୍ରରେ ବିକ୍ରି ଆରମ୍ଭ ହୋଇଛି |୩ଟି ଜିଲ୍ଲାକୁ ଛାଡି ଦିଆଯାଇଛି | ଏଠାରେ କାମ କରୁଥିବା ୬୦ ପ୍ରତିଶତ ଶ୍ରମିକ ବିହାର, ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟରୁ ଆସିଥାନ୍ତି | ସଂକ୍ରମଣ ଭୟରେ ଏବଂ ଲକଡାଉନ କାରଣରୁ ଶ୍ରମିକ ଉପଲବ୍ଧ ନୁହନ୍ତି |

ପଞ୍ଜାବରେ ଗହମ ଫସଲ କଟାଣ ପାଇଁ ପ୍ରସ୍ତୁତ ହୋଇ ରହିଛି | ଲକଡାଉନ କାରଣରୁ ପଞ୍ଜାବରେ ଗହମ ଫସଲ ଅଧିକ ସମୟ ହେବାର ଆଶଙ୍କା କରାଯାଉଛି | ଗତ ବର୍ଷ ତୁଳନାରେ ସରକାର ଚଳିତ ବର୍ଷ ଦୁଇଗୁଣ ଅଧିକ କ୍ରୟ କେନ୍ଦ୍ର କରିଛନ୍ତି | ରାଜ୍ୟରେ ୧୯୧୮ ଶସ୍ୟ ମଣ୍ଡି ରହିଛି | ଚଳିତ ବର୍ଷ ୨ ହଜାର ରାଇସ ମିଲକୁ ଯୋଡି ୩୮୦୦ କ୍ରୟ କେନ୍ଦ୍ର ତିଆରି କରାଯାଇଛି | ଗହମ କାଟିବା ପାଇଁ ଶ୍ରମିକ ଅନ୍ୟ ରାଜ୍ୟରୁ ଆସିଥାନ୍ତି | ତେବେ ଲକଡାଉନ ଯୋଗୁଁ ଶ୍ରମିକ ଆସିପାରିନାହାନ୍ତି | ବିହାର ଉତ୍ତର ପ୍ରଦେଶରୁ ମଧ୍ୟ ଶ୍ରମିକ ଆସି ପାରିନାହାନ୍ତି | ପ୍ରତିବର୍ଷ ପଞ୍ଜାବକୁ ୪ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରୁ ଆସିଥାନ୍ତି | କରୋନା ପାଇଁ ସେଠାକାର ସ୍ଥାନୀୟ ଶ୍ରମିକ ମଧ୍ୟ ଘରେ ରହିଛନ୍ତି | ସେଥିପାଇଁ କଟାଣ ହୋଇପାରୁନାହିଁ | ପଞ୍ଜାବରେ ପ୍ରତିବର୍ଷ ୩୦୦ ଲକ୍ଷ ଟନ ଶସ୍ୟ ଉତ୍ପାଦନ ହୋଇଥାଏ | 

ଉତ୍ତର ପ୍ରଦେଶରେ ବର୍ଷକୁ ରବି ଓ ଖରିଫ ଫସଲ ୫୫୦ ଲକ୍ଷ ଟନ ଉତ୍ପାଦନ ହୋଇଥାଏ | ରାଜ୍ୟରେ ୩୦ ପ୍ରତିଶତ ଗହମ କଟାଣ ହୋଇସାରିଛି | ତେବେ ମେସିନ ଅଭାବ ଯୋଗୁଁ ରାଜ୍ୟର ପଶ୍ଚିମାଞ୍ଚଳରେ କଟାଣ ବାକି ରହିଛି | ମାର୍ଚ୍ଚ ମାସରେ ହୋଇଥିବା ଅଦିନିଆ ବର୍ଷା ଓ ତୁଷାରପାତ ଯୋଗୁଁ ୭୫ ରୁ ୭୪ ଜିଲ୍ଲାରେ ଗହମ, ଆଳୁ, ସୋରିଷ, ପନିପରିବା ଓ ଫଳ ନଷ୍ଟ ହୋଇଛି | ଲକଡାଉନ ଯୋଗୁଁ ସରକାର ମଣ୍ଡି ବ୍ୟବସ୍ଥା ସୁଦୃଢ କରିବା ପାଇଁ ବିଚାର କରୁଛନ୍ତି |

ହରିୟାଣାରେ ୨୩.୮୭ ଲକ୍ଷ ହେକ୍ଟର ଜମିରେ ଗହମ ଫସଲ ହୋଇଛି | ଏପ୍ରିଲ ୨୦ ତାରିଖରୁ ଗହମ କ୍ରୟ ଆରମ୍ଭ ହୋଇଯିବ | ଗହମ କ୍ରୟ ପାଇଁ ସରକାର ୯୫ ଲକ୍ଷ ଟନର ଲକ୍ଷ୍ୟ ନିର୍ଧାରଣ କରିଛନ୍ତି | ଗତବର୍ଷ ହରିୟାଣାରେ ୧୨୮ ଲକ୍ଷ ଟନ ଉତ୍ପାଦନ ହୋଇଥିଲା | ତେବେ ଚଳିତ ବର୍ଷ ଆହୁରି ଭଲ ଫସଲ ହେବାର ଆଶା କରାଯାଉଛି | ତେବେ ଏଥର ଶ୍ରମିକ କମ ଅଛନ୍ତି | ଯେଉଁଥିପାଇଁ ଫସଲ କାଟିବା ପାଇଁ ଅଧିକ ସମୟ ଲାଗିବ | ଫସଲ କାଟିବାରେ ବିଳମ୍ବ ହେଲେ ଫସଲ ଝଡି ଯିବାର ସମ୍ଭାବନା ରହିଛି |

ଫସଲ କ୍ରୟ ପାଇଁ ରାଜ୍ୟରେ ଏପ୍ରିଲ ୧୬ ତାରିଖରୁ ମଣ୍ଡି ଖୋଲା ରହିଛି | ୯୩ ଲକ୍ଷ ହେକ୍ଟର ଜମିରେ ରବି ଫସଲ ହୋଇଛି | ସେଥିରୁ ୩୩ ଲକ୍ଷ ୧୪ ହଜାର ହେକ୍ଟର ଜମିରେ ଗହମ ଚାଷ ହୋଇଛି | କିଛି ଦିନ ପୂର୍ବରୁ ହୋଇଥିବା ତୁଷାରପାତ ଯୋଗୁଁ ୨୦ ପ୍ରତିଶତ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି | ବିଶେଷଜ୍ଞଙ୍କ କହିବାନୁଯାୟୀ, ପାଖାପାଖି ୧ କୋଟି ଟନ ଗହମ ବଜାରକୁ ଆସିବ | ତେବେ ବଜାରକୁ ଗହମ ବିଳମ୍ବରେ ପହଞ୍ଚିବା କାରଣରୁ ମଣ୍ଡିରେ ଚାଷୀଙ୍କୁ ଭଲ ମୂଲ୍ୟ ନ ମିଳିବା ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.