ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପରଲୋକ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | July 29, 2021 IST

କୋରାପୁଟ,୨୯/୦୭:  ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ଆଇ.ରାମବ୍ରହ୍ମମଙ୍କ  ଦେହାନ୍ତ ହୋଇଯାଇଛି । ହାଇଦ୍ରାବାଦ ଇଣ୍ଡୋ-ଆମେରିକାନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବୁଧବାର ମୃତ୍ୟୁ ଘଟିଥିବା ବିଶ୍ୱବିଦ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।

ପ୍ରଫେସର ରାମବ୍ରହ୍ମମ ୨୦୧୯ ଡିସେମ୍ବର ୬ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଗ୍ରହଣ କରିଥିଲେ । ଦେହ ଅସୁସ୍ଥ ଥିବାରୁ ଗତ ଜୁଲାଇ ୧୨ରୁ ସେ ଚିକିତ୍ସାଧୀନ ଥିଲେ । ସେ କ୍ୟାନସର ସହ କୋଭିଡ଼ରେ ଆକ୍ରାନ୍ତ ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଫେସର ରାମବ୍ରହ୍ମମଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଟୁଇଟ୍‌ କରି କହିଛନ୍ତି ଯେ ପ୍ରଫେସର ରାମବ୍ରହ୍ମମ ଜଣେ ବିଜ୍ଞ ଓ ଶିକ୍ଷା କ୍ଷେତ୍ରରେ ଦକ୍ଷ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବିୟୋଗରେ ବିଜ୍ଞ ସମାଜରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା । ଅମର ଆତ୍ମାର ସଦ୍‌ଗତି ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.