Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଇପିଏଲ-୨୦୨୦: ଆଜି ମୁହାଁମୁହିଁ ହେବେ ଧୋନୀ ଓ କୋହଲି, ମଧ୍ୟକ୍ରମ ବ୍ୟାଟିଂକୁ ନେଇ ଚିନ୍ତାରେ ସିଏସକେ

10/10/2020 at 3:32 PM

ଦୁବାଇ,୧୦|୧୦: ଆଜି ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ ହାଇ ଭୋଲଟେଜ୍ ମୁକାବିଲା । ଚଳିତ ସିଜିନରେ ସିଏସକେର ପ୍ରଦର୍ଶନ ଖରାପ ରହିଛି । ଆଜି ସିଜନରେ ପ୍ରଥମ ଥର ଭାରତର ଦୁଇ ସଫଳ ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ସାମ୍ନାସାମ୍ନି ହେବେ। ଉଭୟ ଦଳ ଶେଷ ମ୍ୟାଚ୍‌ରେ ପରାଜିତ ହୋଇଥିଲେ। ତେଣୁ ଆଜିର ମ୍ୟାଚ୍‌ ଜରିଆରେ ଉଭୟ ଦଳ ବିଜୟଧାରାକୁ ଫେରିବା ନେଇ ଲକ୍ଷ୍ୟରେ ରହିଛନ୍ତି । ଏହି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ରାତି ୭.୩୦ରେ ଖେଳାଯିବ ।

କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ୫ଟି ମ୍ୟାଚ୍‌ରୁ ୩ଟିରେ ବିଜୟୀ ହୋଇଛି। ଶେଷ ମୁକାବିଲାରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସଠୁ ୫୯ରନ୍‌ରେ ପରାଜିତ ହୋଇଥିଲା । ଦୁର୍ଦ୍ଦର୍ଷ ବ୍ୟାଟ୍ସମ୍ୟାନ୍‌ ଡି’ଭିଲର୍ସଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛି । ଆରୋନ ଫିଞ୍ଚ ଓ ବିରାଟ କୋହଲି ନିୟମିତ ଭଲ ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି। ଏହା ଦଳ ପରାଜୟର ଅନ୍ୟତମ କାରଣ ହୋଇଛି। ଯୁବ ଓପନର ଦେବଦତ୍ତ ପାଡିକଲ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବୋଲିଂ ବିଭାଗରେ ପେସ୍‌ ବୋଲର ଇସୁରୁ ଉଦାନା ଓ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି । ଆଜି ସୁପର କିଙ୍ଗ୍‌ସର ଶକ୍ତିଶାଳୀ ବୋଲିଂ ବିଭାଗ ସାମ୍ନାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ଙ୍କ ଅସଲ ପରୀକ୍ଷା ହେବ ।

ସୁପର କିଙ୍ଗ୍‌ସ ପାଇଁ ଚଳିତ ସିଜନ ନୈରାଶ୍ୟଜନକ ରହିଛି । ଦଳ ୬ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ଏବଂ ୪ଟିରେ ପରାଜିତ ହୋଇଛି । ବ୍ୟାଟିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ଦଳ ପରାଜୟର ମୁଖ୍ୟ କାରଣ ହୋଇଛି । ଓପନର ସେନ୍‌ ୱାଟସନ୍‌ କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକ ହାସଲ କରି ଫର୍ମରେ ରହିଛନ୍ତି । କିନ୍ତୁ ମଧ୍ୟକ୍ରମରେ କେଦାର ଯାଦବ ଓ ଧୋନିଙ୍କ ଫର୍ମ ଚିନ୍ତାଜନକ ରହିଛି । ଆଜି କେଦାରଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକ୍ୱାଡଙ୍କୁ ସୁଯୋଗ ମିଳିପାରେ । ଅଭିଜ୍ଞ ଡ୍ୱେନ୍‌ ବ୍ରାଭୋଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ସୁଦୃଢ଼ କରିଛି । ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଜରୁରୀ ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ସୁପର କିଙ୍ଗ୍‌ସର ରେକର୍ଡ଼ ୧୫-୮ ରହିଛି । ଗତ ସଂସ୍କରଣରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ବିଜୟୀ ହୋଇଥିଲେ ।

ସମ୍ଭାବ୍ୟ ଏକାଦଶ


ରୟାଲ୍‌ ଚ୍ୟାଲେଞ୍ଜର୍ସ: ଦେବଦତ୍ତ ପାଡିକଲ, ଆରୋନ ଫିଞ୍ଚ, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ମୋଇନ୍‌ ଅଲି, ୱାସିଂଟନ ସୁନ୍ଦର, ଶିବମ ଦୁବେ, ଇସୁରୁ ଉଦାନା, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

ସୁପର କିଙ୍ଗ୍‌ସ: ସେନ୍‌ ୱାଟସନ୍‌, ଫାଫ୍‌ ଡୁ’ପ୍ଲେସି, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), କେଦାର ଯାଦବ/ଋତୁରାଜ ଗାଏକ୍ୱାଡ୍‌, ସାମ କୁରାନ, ରବିନ୍ଦ୍ର ଜାଡ଼େଜା, ଡ୍ୱେନ୍‌ ବ୍ରାଭୋ, ସର୍ଦୁଲ ଠାକୁର, ଦୀପକ ଚହର, କରଣ ଶର୍ମା ।

   Related Posts