ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ ଚେନ୍ନାଇ ଓ ରାଜସ୍ଥାନ, କର ବା ମର ସ୍ଥିତିରେ ଉଭୟ ଦଳ

Published By : Prameya-News7 Bureau | October 19, 2020 IST

ଦୁବାଇ, ୧୯|୧୦: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍‌ ବିଜୟୀ ହେବା ଜରୁରୀ ହୋଇପଡ଼ିଛି । ତେଣୁ ଆଜିର ମ୍ୟାଚରେ କୌଣସି ତ୍ରୁଟି ଦୋହରାଇବାକୁ ଚାହିଁବେନି ଉଭୟ ଦଳ ।

ସୁପର କିଙ୍ଗ୍‌ସ ଓ ରୟାଲ୍ସ ୯ଟି ଲେଖାଏଁ ମ୍ୟାଚ୍‌ ଖେଳି ପ୍ରତ୍ୟେକ ୬ ପଏଣ୍ଟ ସହ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ୍‌କୁ ମିଶାଇ ଆଉ ମାତ୍ର ୫ଟି ମ୍ୟାଚ୍‌ ବାକି ରହିଛି। ପ୍ଲେ-ଅଫ୍‌ ଯୋଗ୍ୟତା ହାସଲ କରିବା ସେତେଟା ସହଜ ହେବନି। ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିଲେ । ତେଣୁ ତ୍ରୁଟି ସୁଧାରି ପ୍ରତ୍ୟାବର୍ତ୍ତନ କରିବା ମୁଖ୍ୟ ଲକ୍ଷ୍ୟ ହେବ ।

ପ୍ରଥମ ପର୍ଯ୍ୟାୟରେ ରୟାଲ୍ସ ୧୬ରନ୍‌ରେ ସୁପର କିଙ୍ଗ୍‌ସକୁ ପରାସ୍ତ କରିଥିଲା । ସାରଜାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରୟାଲ୍ସ ୭/୨୧୬ରନ୍‌ କରିଥିବାବେଳେ ସୁପର କିଙ୍ଗ୍‌ସ ୬/୨୦୦ରନ୍‌ କରିବାକୁ ସକ୍ଷମ ହୋଇଥିଲା । ରୟାଲ୍ସ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୬୯) ଓ ସାମସନ୍‌ (୭୪) ଅର୍ଦ୍ଧଶତକ ହାସଲ କରିଥିଲେ । ସୁପର କିଙ୍ଗ୍‌ସ ପକ୍ଷରୁ ଡୁ’ପ୍ଲେସି (୭୭) ଅର୍ଦ୍ଧଶତକ ହାସଲ କରିଥିଲେ ।

ରୟାଲ୍ସ ଦଳ ପୂର୍ବ ୨ଟି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (୧୩ରନ୍‌ରେ) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୭ ୱିକେଟ୍‌ରେ) ପରାଜିତ ହୋଇଥିଲା । ସ୍ମିଥ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ମୁକାବିଲାରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିଲେ। କିନ୍ତୁ ଓପନିଂ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସଂଘର୍ଷ କରୁଛନ୍ତି । ଷ୍ଟାର୍‌ ଓପନର ଜୋସ ବଟଲର ଓ ବେନ୍‌ ଷ୍ଟୋକ୍ସ ଏପର୍ଯ୍ୟନ୍ତ ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଦେଇପାରିନାହାନ୍ତି । ଜୋଫ୍ରା ଆର୍ଚରଙ୍କ ନେତୃତ୍ୱରେ ବୋଲିଂ ବିଭାଗ ଆଶାନୁଯାୟୀ ପ୍ରଦର୍ଶନ ଦେବାରେ ବିଫଳ ରହିଛି । ଆଜି ଦଳର ଟ୍ରମ୍ପ କାର୍ଡ଼ ରାହୁଲ ତେୱାତିଆଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ସୁପର କିଙ୍ଗ୍‌ସ ପ୍ଲେ-ଅଫ୍‌ ଆଶା ଉଜ୍ୱଳ କରିଥିଲା। କିନ୍ତୁ ପୂର୍ବ ମ୍ୟାଚ୍‌ରେ କ୍ୟାପିଟାଲ୍ସଠୁ ୫ ୱିକେଟରେ ପରାଜିତ ହୋଇଥିଲା। ଏହି ମ୍ୟାଚ୍‌ରେ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଆହତ ହୋଇଥିଲେ। ସେ ଗୋଟିଏରୁ ୨ ସପ୍ତାହ ଦଳରୁ ଦୂରେଇ ରହିବା ସମ୍ଭାବନା ରହିଛି। ଏହା ଦଳ ପାଇଁ ଆଉଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଦୁର୍ବଳ ଫିଲ୍ଡିଂ ଦଳ ପରାଜୟର ମୁଖ୍ୟ କାରଣ ହୋଇଥିଲା। କ୍ୟାପିଟାଲ୍ସ ଓପନର ଶିଖର ଧାୱନଙ୍କୁ ୪ଥର ଜୀବନ ଦାନ ମିଳିଥିଲା। ଏହାର ଫାଇଦା ଉଠାଇ ସେ ଶତକ ହାସଲ କରିଥିଲେ । ତେଣୁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଫିଲ୍ଡିଂ ବିଭାଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଆଜି ପିୟୂଷ ଚାୱାଲ କିମ୍ବା ଲୁଙ୍ଗି ଏନ୍‌ଗିଡ଼ିଙ୍କୁ ସୁଯୋଗ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.