ବିଜୟ ଧାରାକୁ ଫେରିଲା ଚେନ୍ନାଇ, ୧୦ ଓ୍ୱିକେଟରେ ହାରିଲା କିଙ୍ଗସ୍ ଏକାଦଶ ପଞ୍ଜାବ

Published By : Prameya-News7 Bureau | October 04, 2020 IST

ଦୁବାଇ, ୦୪/୧୦:  ଚେନ୍ନାଇ ସୁପର୍ କିଙ୍ଗସ୍ ଓ କିଙ୍ଗସ୍ ଏକାଦଶ ପଞ୍ଜାମ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ ୧୦ ଓ୍ୱିକେଟରେ ବିଜୟ ଲାଭ କରିଛି । ସେନ୍ ଓ୍ୱାଟସନ୍ ଓ ଫାପ୍ ଡୁପ୍ଲେସିସଙ୍କ ବିସ୍ପୋରକ ଅର୍ଦ୍ଧଶତକ ବଳରେ ଦଳର ଲଗାତର ପରାଜୟରେ ବ୍ରେକ୍ ଲାଗିଛି । ଏହାସହ ତିନୋଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟ ଧାରାରୁ ଫେରିଛି ଚେନ୍ନାଇ ।  ୧୭୯ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ବିନା କୌଣସି ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା ।

{"id":338785,"sizeSlug":"large"}

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଭଲ ଫର୍ମରେ ଥିବା ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୮ ଓଭରରେ ୬୧ ରନ ଯୋଡିଥିଲେ। ମୟଙ୍କ(୨୬)ଙ୍କୁ ଆଉଟ୍ କରି ପିୟୂଷ ଚାଓ୍ଵାଲ ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ କ୍ରିଜକୁ ଆସିଥିବା ମନଦୀପ ସିଂହ ୧୬ ବଲରୁ ୨ ଛକା ଜରିଆରେ ଦ୍ରୁତ ୨୭ ରନ କରି ଆଉଟ୍ ହୋଇଥିଲେ।କେଏଲ ରାହୁଲ ଆଇପିଏଲରେ ୧୮ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ନିକୋଲାସ ପୂରନଙ୍କୁ ସାଥୀ କରି ତୃତୀୟ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳର ସ୍କୋରକୁ ୧୫୨ ରନରେ ପହଞ୍ଚାଇଥିଲେ। ପୁରନ ୧୭ ବଲରୁ ୧ ଚୌକା ଓ ୩ ଛକା ବଳରେ ଦ୍ରୁତ ୩୩ ରନ କରି ପାଭିଲିୟନ ଫେରିଥିଲେ। ଲୋକେଶ ରାହୁଲ ୧୮ତମ ଓଭରରେ ଆଉଟ୍ ହୋଇଥିଲେ। ସେ ୫୨ ବଲରୁ ୭ ଚୌକା ଓ ୧ ଛକା ଜରିଆରେ ୬୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡକୁ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ୧୧ ରନ ଓ ସର୍ଫରାଜ ଖାନ ୧୪ ରନ କରି ଅପରାଜିତ ଥିଲେ। ନିର୍ଦ୍ଧାରିତ ଓଭରରେ ପଞ୍ଜାବ ୪ ଓ୍ଵିକେଟ୍ ବିନିମୟରେ ୧୭୮ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା।

{"id":338786,"sizeSlug":"large"}

ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସଫଳ ବୋଲର ଭାବେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପିୟୂଷ ଚାଓ୍ଵାଲା ଗୋଟିଏ ଓ୍ଵିକେଟ୍ ନେଇଥିଲେ।

୧୭୯ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ସହଜରେ ହାସଲ କରିନେଇଥିଲା । ଦଳର ୨ ଓପନର ବିସ୍ଫୋରକ ବ୍ୟାଟିଂ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ । ସେନ୍ ଓ୍ୱାଟସନ୍ ଓ ଫାପ୍ ଡୁପ୍ଲେସିସ୍ ଉଭୟ ଅର୍ଧଶତକ ହାସଲ କରି ବିଜୟରେ ମୁଖ୍ୟ ପୁରୋଧା ସାଜିଥିଲେ । ଓ୍ୱାଟସନ୍ ୮୩ ରନ୍ କରିଥିବା ବେଳେ ଡୁପ୍ଲେସିସ୍ ୮୭ ରନ୍ କରି ନଟ୍ ଆଉଟ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.