ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ

Published By : Prameya-News7 Bureau | October 29, 2020 IST

ଦୁବାଇ, ୨୯।୧୦: କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୪୯ ତମ ମ୍ୟାଚରେ ୬ ଓ୍ୱିକେଟରେ ବିଜୟ ଲାଭ କରିଛି ଚେନ୍ନାଇ । ୧୭୩ ରନର ପିଛା କରୁଥିବା ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଦମଦାର ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଶୁଭମାନ ଗିଲ୍ ଓ ନୀତିଶ ରାଣା ଦ୍ରୁତ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୭.୨ ଓଭରରେ ୫୩ ରନ ଯୋଡିଥିଲେ। ଶୁଭମାନ ଗିଲ୍‌ଙ୍କୁ ନିଜ ଓଭର ପ୍ରଥମ ବଲରେ ଆଉଟ୍ କରି କର୍ଣ୍ଣ ଶର୍ମା ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ଗିଲ୍ ୨୬ ରନ କରି ବିଦାୟ ନେଇଥିଲେ। ସୁନିଲ ନାରିନେ ବିଫଳ ହୋଇ ୭ ରନ କରି ଆଉଟ୍ ହୋଇଥିଲେ।

ଅନ୍ୟପଟେ ଦଳର ଇନିଂସ ସମ୍ଭାଳିଥିବା ନୀତିଶ ରାଣା ରିଙ୍କୁ ସିଂହଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୩୩ ରନ ଯୋଡିଥିଲେ। ୯୩ ରନ ସ୍କୋରରେ ରିଙ୍କୁ ସିଂହ(୧୧ ରନ) ବିଦାୟ ନେଇଥିଲେ। ଅନ୍ୟପଟେ ନୀତିଶ ରାଣା ଦମଦାର ବ୍ୟାଟିଂ କରି ଆଇପିଏଲରେ ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। ନୀତିଶ ରାଣା ଓ ଅଧିନାୟକ ଇଅନ ମୋର୍ଗାନ ଚତୁର୍ଥ ଓ୍ଵିକେଟ୍‌ରେ ୪୪ ରନ ଯୋଡି ଦଳର ସ୍କୋରକୁ ୧୫୦ ନିକଟତର କରାଇଥିଲେ।  ୧୩୭ ରନ ସ୍କୋରରେ ରାଣା ଭୁଲ ସମୟରେ ଆଉଟ୍ ହୋଇଥିଲେ। ସେ ୬୧ ବଲରୁ ୧୦ ଚୌକା ଓ ୪ ଛକା ସହ ୮୭ ରନ କରି ପାଭିଲିୟନ ଫେରିଥିଲେ। ଇଅନ ମୋର୍ଗାନ ଶେଷ ଓଭରର ପ୍ରଥମ ବଲରେ ୧୫ ରନରେ ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ ଦ୍ରୁତ ବ୍ୟାଟିଂ କରି ୧୦ ବଲରୁ ୩ ଚୌକା ସହ ୨୧ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ କୋଲକାତା ୫ ଓ୍ଵିକେଟ୍ ହରାଇ ୧୭୨ ରନ କରିଛି।

ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ୨ଟି ସଫଳତା ପାଇଥିବା ବେଳେ କର୍ଣ୍ଣ ଶର୍ମା, ରବିନ୍ଦ୍ର ଜାଡେଜା ଓ ମିଚେଲ ସାଣ୍ଟନର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ୨୦ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଦଳ ପକ୍ଷରୁ ଋତୁରାଜ ଗାୟକଓ୍ୱାଡ ଅର୍ଧଶତକ ହାସଲ କରିଥିଲେ । ସେ ୫୩ ବଲରୁ ୭୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବତି ରାୟଡୁ ୩୮ ରନ୍ କରିଥିଲେ । ସେହିପରି ସେନ ଓ୍ୱାଟସନ ୧୯ ରନ୍ ସ୍କୋର କରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ଓ ସାମ୍ କୁରେନ୍ ଲଢୁଆ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ।

କୋଲକାତା ପକ୍ଷରୁ ପେଟ୍ କମିନ୍ସ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.