ଆଇପିଏଲ ଇତିହାସରେ ଚତୁର୍ଥ ଥର ଉଦ୍‌ଘାଟନୀ ମ୍ୟାଚ୍ ଖେଳିବେ CSK ଓ MI, ଜାଣନ୍ତୁ ଏ ପର୍ଯ୍ୟନ୍ତ କେଉଁ ଦଳର ପଲ୍ଲା ଭାରି ରହିଛି

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬।୦୯: ଆଇପିଏଲ ୨୦୨୦ର ୧୩ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷିତ ହୋଇଛି। ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳା ଯିବାକୁ ଥିବା ବିଶ୍ଵର ଏହି ବଡ ଟି-୨୦ ଲିଗ୍‌ର ଉଦଘାଟନୀ ମ୍ୟାଚ୍‌ ଦୁଇଟି ବଡ ସର୍ବଶ୍ରେଷ୍ଠ ଏବଂ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଏମଏସ ଧୋନୀଙ୍କ ନେତୃତ୍ଵାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ତିନି ଥର ଚମ୍ପିଆନ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ମୁମ୍ବାଇ ଚାରି ଥର ଟାଇଟଲ୍ ଜିତି ସାରିଛି। ସେପ୍ଟେମ୍ବର ୧୯ରେ ଆବୁଧାବିରେ ଦୁଇ ଦଳ ମୁହାଁମୁହିଁ ହେବେ।

ଆଇପିଏଲ ଇତିହାସରେ ଚତୁର୍ଥ ଥର ଦୁଇ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ଏହା  ପୂର୍ବରୁ ୨୦୦୯, ୨୦୧୨ ଓ ୨୦୧୮ରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳା ଯାଇଥିଲା। ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ରୋହିତ ଶର୍ମା ସର୍ବଦା ଏମଏସ ଧୋନୀଙ୍କ ଉପରେ ଭାରି ପଡିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍‌ରୁ ଦୁଇଟିରେ ବିଜୟ ହାସଲ କରିଛି।

{"id":326057,"sizeSlug":"large"}

୨୦୦୯- ୨୦୦୯ରେ ଦକ୍ଷିଣ ଆଫ୍ରିକାର କେପଟାଉନ୍‌ରେ ଖେଳା ଯାଇଥିବା ଆଇପିଏଲର ଦ୍ଵିତୀୟ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ବିପକ୍ଷରେ ୧୯ ରନରେ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ବିନିମୟରେ ୧୬୫ ରନ କରିଥିଲା। ସଚିନ ତେନ୍ଦୁଲକର ୫୯ ରନର ଅପରାଜିତ ପାଳି ଖେଳିଥିଲେ। ଜବାବରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୧୪୬ ରନରେ  ସୀମିତ ରହିଥିଲା। ଲସିଥ୍ ମାଲିଙ୍ଗା ୧୫ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।

୨୦୧୨- ଚେନ୍ନାଇରେ ଆଇପିଏଲର ପଞ୍ଚମ ସଂସ୍କରଣର ଉଦ୍‌ଘାଟନ ମୁକାବିଲାରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଏଥର ମଧ୍ୟ ମୁମ୍ବାଇ ୮ ଓ୍ଵିକେଟ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୧୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ମୁମ୍ବାଇ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ମୁମ୍ବାଇ ପକ୍ଷରୁ ରିଚାର୍ଡ ଲେଭି ସର୍ବାଧିକ ୫୦ ରନ କରିଥିଲେ।

{"id":326058,"sizeSlug":"large"}

୨୦୧୮- ଆଇପିଏଲର ୧୧ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇରେ ଖେଳା ଯାଇଥିଲା। ଏଥର ଚେନ୍ନାଇ ନିଜର ପରାଜୟ ଧାରାକୁ ଭାଙ୍ଗିବାରେ ସଫଳ ହୋଇଥିଲା ଏବଂ ୧ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୧୬୫ ରନ କରିଥିଲା। ଜବାବରେ ଚେନ୍ନାଇ ଗୋଟିଏ ବଲ ବଳକା ଥାଇ ୯ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଡ୍ଵେନ୍ ବ୍ରାଭୋ ୩୦ ବଲରୁ ୬୮ ରନର ବିସ୍ଫୋରକ ଇନିଂସ ଖେଳି ମୁମ୍ବାଇ ହାତରୁ ବିଜୟ ଛଡାଇ ଆଣିଥିଲେ।

ଆଇପିଏଲ ଇତିହାସରେ ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୩୦ ମ୍ୟାଚ୍‌ ଖେଳା ଯାଇଛି। ଏଥିରେ ମୁମ୍ବାଇର ପଲ୍ଲା ଭାରି ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୧୮ଟି ମ୍ୟାଚ୍‌ ଜିତିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ୧୨ଟିରେ ବିଜୟୀ ହୋଇଛି। ଉଭୟ ଦଳ ନିରପେକ୍ଷ ସ୍ଥାନରେ ୫-୫ ମ୍ୟାଚ୍‌ରେ ବିଜୟୀ ହାସଲ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.