କିଛି ସମୟ ପରେ ଦିଲ୍ଲୀ-ଚେନ୍ନାଇ ଲଢେଇ, ଫାଇନାଲକୁ ପ୍ରବେଶ ପାଇଁ ପଡିଆକୁ ଓଲ୍ଲାଇବେ ଦୁଇ ଟିମ୍‌ : ଏମିତି ହୋଇପା​‌ରେ CSKର ପ୍ଲେଇଙ୍ଗ୍ ଇଲେଭେନ୍‌

Published By : Prameya-News7 Bureau | October 10, 2021 IST

ଦୁବାଇ ୧୦/୧୦ : ଆଇପିଏଲର ଆଜି କ୍ବାଲିଫାୟର ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଅଭିଜ୍ଞ ଧୋନୀଙ୍କୁ ଟକ୍କର ଦେବେ ଶିଷ୍ୟ ଋଷଭ ପନ୍ତ । ସନ୍ଧ୍ୟା ୭ ଟା ୩୦ରୁ ଆରମ୍ଭ ହୋଇଯିବ ମହାମୁକାବିଲା । ଯେଉଁ ଟିମ ବିଜୟୀ ହେବ, ସିଧାସଳଖ ଆଇପିଏଲ ୨୦୨୧ ଫାଇନାଲରେ ପ୍ରବେଶ କରିବ । ପରାଜିତ ହେବାକୁ ଥିବା ଟିମ ଏଲିମିନେଟର୍‌ ବିଜେତା ଟିମ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ । ତେବେ ଆଜି ହେବାକୁ ଥିବା ମ୍ୟାଚରେ ସିଏସ୍‌କେ ଟିମ ଏବଂ ଡିସିର ପ୍ଲେଇଙ୍ଗ୍‌ ଇଲେଭେନ୍ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଚେନ୍ନାଇ ସୁପର କିଙ୍ଗସ୍‌ ଅବଶ୍ୟ ୨୦୨୧ ଆଇପିଏଲ ପ୍ଲେ ଅଫ୍‌ରେ ପ୍ରବେଶ କରିବାର ପ୍ରଥମ ଟିମ ଥିଲା କିନ୍ତୁ ଲିଗ୍‌ ପର୍ଯ୍ୟାୟର ଶେଷ ୩ ମ୍ୟାଚରେ ପରାଜିତ ହୋଇଥିଲା ଦଳ । ତେଣୁ ଆଜି ହେବାକୁ ଥିବା ପ୍ଲେ ଅଫ୍‌ ମ୍ୟାଚରେ ଦଳରେ କିଛିଟା ପରିବର୍ତ୍ତନ କରିପାରନ୍ତି ଅଧିନାୟକ ଏମ୍‌ଏସ୍‌ ଧୋନୀ । ଲିଗ୍ ମ୍ୟାଚର ଶେଷ ପର୍ଯ୍ୟାୟରେ ସୁରେଶ ରାଇନାଙ୍କ ସ୍ଥାନରେ ରବିନ୍ ଉଥାପାଙ୍କୁ ଦଳରେ ସାମିଲ କରିଥିଲା ସିଏସ୍‌କେ । କିନ୍ତୁ ସୁଯୋଗ ପାଇଥିବା ଉଥାପା କମାଲ କରିପାରିନଥିଲେ । ତେଣୁ ଆଜିର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ତାଙ୍କୁ ଦଳରୁ ବାଦ୍‌ ଦିଆଯିବା ଆପାତତ୍‌ ସ୍ପଷ୍ଟ ଜଣାପଡୁଛି ।

ମିଷ୍ଟର ଆଇପିଏଲ ନାଁରେ ପରିଚିତ ସୁରେଶ ରାଇନା ଚଳିତ ସିଜିନ୍‌ରେ ଫର୍ମରେ ନାହାନ୍ତି । କିନ୍ତୁ ଅଭିଜ୍ଞ ଖେଳାଳି ଭାବେ ଆଜି ତାଙ୍କୁ ଦଳରେ ନେଇପାରେନ୍ତି । କାରଣ ଧୋନୀଙ୍କ ପରେ ରାଇନା ହିଁ ଅନୁଭବୀ ଖେଳାଳି ଏବଂ ଆଇପିଏଲ​‌ରେ ପୂର୍ବରୁ ନିଜର ପାରଦର୍ଶୀତା ମଧ୍ୟ ଦେଖାଇସାରିଛନ୍ତି । ଏହା ସହିତ ବଡ ମ୍ୟାଚ ଖେଳିବାର ଅଭିଜ୍ଞତା ମଧ୍ୟ ରହିଛି ।

ସିଏସ୍‌କେର ସମ୍ଭାବ୍ୟ ଟିମ୍‌ : ଫାଫ୍ ଡୁ ପ୍ଲେସିସ୍, ଋତୁରାଜ ଗାୟକୱାଡ୍, ସୁରେଶ ରାଇନା, ମୋଇନ୍ ଅଲୀ, ଅମ୍ବାତି ରାୟୁଡୁ, ଏମ୍.ଏସ୍ ଧୋନୀ (ଅଧିନାୟକ ତଥା ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଡ୍ବେନ୍‌ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ଏବଂ ଜୋସ୍‌ ହେଜେଲଉଡ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.