ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23/01/2021 at 10:16 PM

ନୂଆଦିଲ୍ଲୀ ୨୩।୧: କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଛି। ଭୂତାଣୁ ବିରୋଧରେ ସଂଗ୍ରାମ ଲାଗି କେତେକ ଦେଶରେ ଟିକାକରଣ ମଧ୍ୟ ହେଉଛି, ହେଲେବି ସଂକ୍ରମଣ ବିପଦ ଏବେବି ଟଳିନି। ଏଥିରେ ଏକ ଅଧ୍ୟାୟନରେ ଧୂମପାନ କରୁଥିବା ଲୋକଙ୍କୁ କରୋନା ଏତେଟା ପ୍ରଭାବିତ କରିପାରୁନଥିବା ପ୍ରଥମ ଥର ଜଣାପଡିଛି।
କାଉନସିଲ ଅଫ ସାଇଣ୍ଟିଫିକ୍ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ସିରୋ ସର୍ଭେରୁ ପ୍ରଥମ ଥର ଏହା ଜଣାପଡିଛି। ସିଏସଆଇଆର ସାରା ଦେଶରେ ଥିବା ତାଙ୍କର ୪୦ଟି ସଂସ୍ଥାନଙ୍କ ଦ୍ୱାରା କରିଥିବା ସର୍ଭେକ୍ଷଣରୁ ପ୍ରାପ୍ତ ତଥ୍ୟର ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ କୋଭିଡରେ ସବୁଠାରୁ ଅଧିକ ଆକ୍ରାନ୍ତ ହେଉଥିବା ବ୍ଲଡଗ୍ରୁପର ମଧ୍ୟ ଚିହ୍ନଟ କରିଛନ୍ତି।
ସିଏସଆଇଆରଙ୍କ ବରିଷ୍ଠ ବୈଜ୍ଞାନିକ ଶାନ୍ତନୁ ସେନଗୁପ୍ତା ଏହି ଅଧ୍ୟାୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ଫୁସ୍ଫୁସ୍କୁ ସବୁଠୁ ଅଧିକ ଆକ୍ରାନ୍ତ କରୁଥିବା ଆମେ ଜାଣିଛେ। ଏଣୁ ଧୂମପାନକାରୀ କୋଭିଡ ଆକ୍ରାନ୍ତ ହେଲେ ତାଙ୍କ ସ୍ୱାସ୍ଥ୍ୟର ଅକଳ୍ପନୀୟ କ୍ଷତି ହେବ ବୋଲି ଯାହା ଭାବୁଥିଲେ ତାହା ଅଧ୍ୟୟନରେ ଭୁଲ ପ୍ରମାଣିତ ହୋଇଥିବା କହିଛନ୍ତି।
ତେବେ ଅଧ୍ୟୟନରେ ସ୍ମୋକିଂ ଫୁସ୍ଫୁସ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେଉଥିବାର ଜଣାପଡିଛି। ହେଲେ ଏହା ଗହନ ଅଧ୍ୟୟନର ବିଷୟ ବୋଲି ସେ କହିଛନ୍ତି। ତେବେ କେବଳ ଭାରତ ନୁହେଁ ଆମେରିକା, ଇଟାଲୀ, ଫ୍ରାନ୍ସ ଓ ଚୀନ୍ରେ ହୋଇଥିବା ଅଧ୍ୟାୟନରୁ ମଧ୍ୟ ସ୍ମୋକର୍ସଙ୍କ ଲାଗି କରୋନା ବିପଦ କମ୍ ବୋଲି ଜଣାପଡିଥିବା ସେ କହିଛନ୍ତି।
ସେହିପରି ସାକାହାରୀ ଲୋକେ ସର୍ବାଧିକ କରୋନା ପ୍ରତିରୋଧକ ଶକ୍ତି ରଖୁଥିବା ବେଳେ ‘ଏ’ ଏବଂ ‘ଓ ‘ ବ୍ଲଡ ଗ୍ରୁପ ଲୋକଙ୍କ ଲାଗି କରୋନା ବିପଦ କମ୍ ବୋଲି ଏହି ଅଧ୍ୟାୟନରୁ ଜଣାପଡିଛି। ତେବେ ‘ବି’ ଏବଂ ‘ଏବି’ ବ୍ଲଡଗ୍ରୁପର ଲୋକେ କୋଭିଡରେ ଅଧିକ ପ୍ରଭାବିତ ହେଉଥିବା ଜଣାପଡିଛି। ଏଣୁ ଏପରି ବ୍ଲଡ ଗ୍ରୁପର ଲୋକଙ୍କୁ କୋଭିଡ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ବିଧେୟ ବୋଲି କୁହାଯାଇଛି।
ବି.ଦ୍ର: ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ କର୍କଟ ଓ ହୃଦୟ ରୋଗର ମୁଖ୍ୟ କାରଣ। ଏହା ଏକ ଅଧ୍ୟୟନ ରିପୋର୍ଟ ଏ ଗହନ ଅଧ୍ୟୟନର ଆବଶ୍ୟକତା ଥିବା ବୈଜ୍ଞାନିକ କହିଛନ୍ତି। ଏଣୁ କାହାକୁ ଧୂମପାନ ଲାଗି ପ୍ରୋତ୍ସାହିତ କରିବା ଆମ୍ଭର ଉଦ୍ଦେଶ୍ୟ ନୁହେଁ।